କରୋନାରେ ମୃତ୍ୟୁ ହେଲେ କର୍ମଚାରୀଙ୍କ ପରିବାରକୁ ଏହି କମ୍ପାନୀ ୬୦ ବର୍ଷ ଯାଏଁ ଦେବ ପୂରା ଦରମା

କରୋନା ସମୟରେ କର୍ମଚାରୀଙ୍କ ପରିବାର ପାଇଁ ବଡ ଘୋଷଣା କରିଛି ଟାଟା ଷ୍ଟିଲ୍ କମ୍ପାନୀ । କରୋନା ସମୟରେ ଅନେକ ଲୋକଙ୍କ ମୃତ୍ୟୁ ଘଟୁଛି । ପରିବାରର ରୋଜଗାରିଆ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକ ଭାଙ୍ଗି ପଡୁଛନ୍ତି । ତେଣୁ ଟାଟା କମ୍ପାନୀ ସେମାନଙ୍କ ପରିବାର ପାଇଁ ‘ଟାଟା ଷ୍ଟିଲ୍ ସୋଶାଲ ସିକ୍ୟୁରିଟି’ ସ୍କିମ୍ ଘୋଷଣା କରିଛି । ଏହି ସ୍କିମ୍ ଆଧାରରେ ଯଦି କରୋନା ଭାଇରସ ଯୋଗୁ କୌଣସି କର୍ମଚାରୀଙ୍କ ମୃତ୍ୟୁ ଘଟେ, ତାହେଲେ କମ୍ପାନୀ ମୃତ କର୍ମଚାରୀ କିମ୍ବା ତାଙ୍କ ନୋମିନୀଙ୍କୁ ୬୦ ବର୍ଷ ଯାଏ ଦରମା ଦେବ। ଏହାସହ ମୃତ କର୍ମଚାରୀଙ୍କ ପିଲାଙ୍କର ପାଠପଢ଼ା ଖର୍ଚ୍ଚ, ପରିବାରକୁ ମେଡିକାଲ୍ ଏବଂ ଘରର ସୁବିଧା ମଧ୍ୟ ବହନ କରିବାକୁ ଟାଟା ଷ୍ଟିଲ୍ ଘୋଷଣା କରିଛି।
ଟାଟା ଷ୍ଟିଲ୍ ଘୋଷଣା କରିଛି ଯେ, କରୋନାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କୁ ଯେମିତି ଦରମା ମିଳେ, ସେତିକି ଦରମା ତାଙ୍କର ପରିବାରକୁ ମିଳିବ। ଏହି ଦରମା ମୃତ କର୍ମଚାରୀ କିମ୍ବା ନୋମିନୀଙ୍କୁ ୬୦ ବର୍ଷ ପୂରଣ ହେବା ଯାଏ ପ୍ରଦାନ କରାଯିବ। ଏହାସହ କର୍ମଚାରୀଙ୍କ ପରିବାରକୁ ରହିବା ପାଇଁ କ୍ୱାର୍ଟର ଦିଆଯିବ ଓ ଏହାସହ ମେଡିକାଲ୍ ସୁବିଧା ମଧ୍ୟ ଯୋଗାଇ ଦିଆଯିବ। କର୍ମଚାରୀଙ୍କ ପିଲାଙ୍କର ଗ୍ରାଜୁଏସନ୍ ଶେଷ ହେବା ଯାଏ ଭାରତରେ ପାଠପଢ଼ାର ପୂରା ଖର୍ଚ୍ଚ କମ୍ପାନୀ ବହନ କରିବ।
ଦେଶର ଅଗ୍ରଣୀ ଅଟୋମୋବାଇଲ୍ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମଧ୍ୟ ନିଜ କର୍ମଚାରୀଙ୍କ ପାଇଁ ଏହିଭଳି କିଛି ଘୋଷଣା କରିଛି। ଏମ ଆଣ୍ଡ ଏମ ଅନୁଯାୟୀ, ଯେଉଁ କର୍ମଚାରୀଙ୍କର କରୋନାରେ ମୃତ୍ୟୁ ହୋଇଛି, ସେମାନଙ୍କୁ କମ୍ପାନୀ ପକ୍ଷରୁ ପରିବାର ସହାୟତା କାର୍ଯ୍ୟକ୍ରମ ଆଧାରରେ ନୋମିନୀଙ୍କୁ ୫ ବର୍ଷ ଯାଏ ପେନସନ୍ ଓ ବାର୍ଷିକ ଆୟର ଦୁଇଗୁଣା ରାଶି ପ୍ରଦାନ କରାଯିବ। ଏହା ବ୍ୟତୀତ ମୃତ କର୍ମଚାରୀଙ୍କ ପିଲାମାନଙ୍କ ପାଠପଢ଼ା ପାଇଁ ଦ୍ୱାଦଶ ଶ୍ରେଣୀ ଯାଏ ପ୍ରତି ପିଲା ପିଛା ୨ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ। ଏଭଳି କଠିନ ସମୟରେ କର୍ମଚାରୀଙ୍କ ପରିବାର ସହିତ ସବୁବେଳେ ରହିଛନ୍ତି ଆଉ ରହିବେ ବୋଲି ଏହି ଦୁଇ କମ୍ପାନୀ କହିଛନ୍ତି ।
Powered by Froala Editor