ଜୁନ୍ ୧୫ରୁ ସୁନାର ହଲମାର୍କିଂ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧୫ରୁ ସୁନାର ହଲମାର୍କିଂ ବାଧ୍ୟତାମୂଳକ ହେବ । ଏହି ନିୟମ ଜୁନ ୧ରୁ ଲାଗୁ ହେବାର ଥିଲା । ମାତ୍ର କରୋନା ମହାମାରୀର ପ୍ରଭାବ ଲାଗି ରହିଥିବାରୁ ସମୟ ସୀମା ବଢ଼ାଇବା ଲାଗି ଗହଣା ପ୍ରତିଷ୍ଠାନଗୁଡ଼ିକୁ ସରକାରଙ୍କୁ ଅନୁରୋଧ କରିଥିଲେ । ତାହା ବିଚାରକୁ ନେଇ ସେମାନଙ୍କୁ ୧୫ ଦିନ ଅଧିକ ସମୟ ଦିଆଯାଇଛି । ପ୍ରଥମେ ଏହି ନିୟମକୁ ୨୦୨୦ ଜାନୁଆରି ୧୫ରୁ ଲାଗୁ କରିବା ଲାଗି ନିଷ୍ପତ୍ତି ହୋଇଥିଲା । କିନ୍ତୁ ପୁରୁଣା ଷ୍ଟକ୍ ବିକ୍ରି କରିବା ଲାଗି ସଂସ୍ଥାଗୁଡ଼ିକୁ ଏକ ବର୍ଷ ଅଧିକ ସମୟ ଦିଆଯାଇଥିଲା । ଅପରପକ୍ଷେ ସୁନାରେ ନିବେଶ ବଢ଼ିଥିବାରୁ ଏହାର ବଜାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ୧୦ ଗ୍ରାମ ସୁନାର ମୂଲ୍ୟ ପୁଣି ଥରେ ୪୮,୫୦୦ ଟଙ୍କା ସ୍ତର ଅତିକ୍ରମ କରିଛି । କେବଳ ଭାରତ ନୁହେଁ ଆନ୍ତର୍ଜାତିକ ବଜାରରେ ମଧ୍ୟ ସୁନା ମହଙ୍ଗା ହୋଇଛି । ରୁପାର କିଲୋ ପିଛା ଦାମ୍ ୭୧,୪୯୦ ଟଙ୍କା ହୋଇଯାଇଛି । ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୧୮୮୩.୨୧ ଡଲାରକୁ ବୃଦ୍ଧି ପାଇଛି ଯାହା ବିଗତ ସାଢେ଼ ଚାରି ମାସ ଭିତରେ ସର୍ବାଧିକ । ଆମେରିକୀୟ ମୁଦ୍ରା ଡଲାର ଦୁର୍ବଳ ରହିବା ଏବଂ ଦରଦାମ୍ ସ୍ଥିତି ବେଲଗାମ ରହିଥିବାରୁ ସୁନା ଦାମ୍ ବଢ଼ୁଛି । ବିଟକଏନ୍ ମୂଲ୍ୟରେ ୫୦ ପ୍ରତିଶତରୁ ଅଧିକ ହ୍ରାସ ସୁନା ମୂଲ୍ୟ ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି । ୟୁରୋ ଓ ୟୁରୋପର ଅନ୍ୟାନ୍ୟ ମୁଦ୍ରା ତୁଳନାରେ ଡଲାର ଦୁର୍ବଳ ରହିଛି ।
Powered by Froala Editor