ମୁହଁ ପୋଡି ଦେଉଛି ଝାଞ୍ଜି ପବନ, ଗ୍ରୀଷ୍ମର ଜ୍ୱାଳାରେ ଜଳୁଛି ଓଡ଼ିଶା
ଭୁବନେଶ୍ଵର : ମୁହଁ ପୋଡି ଦେଉଛି ଝାଞ୍ଜି ପବନ। ମଙ୍ଗଳବାର ସକାଳ ସାଢେ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୨.୬ ଡିଗ୍ରୀ ରେକର୍ଡ ହୋଇଛି। ବର୍ଷାର ନାଁ ଗନ୍ଧ ନାହିଁ। ସବୁଆଡ଼େ ଧୁ ଧୁ ଖରା। ନିଆଁ ମାଡ଼ ଭଳି ଝାଞ୍ଜିରେ ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା। ଗୁଳୁଗୁଳିରେ ଉପକୂଳ ଅଞ୍ଚଳବାସୀ କଲବଲ। ଆସନ୍ତା ୩ ଦିନ ପର୍ୟ୍ୟନ୍ତ ତ୍ରାହି ନାହିଁ। କାଁ ଭାଁ ବର୍ଷା ହୋଇପାରେ । କିନ୍ତୁ, ପ୍ରାୟତଃ ପ୍ରଚଣ୍ଡ ଗ୍ରୀଷ୍ମ ସ୍ଥିତି ଲାଗି ରହିବ । ଆସନ୍ତା ୨୧ ତାରିଖରୁ ବିସ୍ତୃତ ଅଞ୍ଚଳରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ତା’ପରେ ତାତି ଧୀରେ ଧୀରେ ଖସିବ । ସେପର୍ୟ୍ୟନ୍ତ ସାରା ଓଡ଼ିଶା ଗ୍ରୀଷ୍ମର ଜ୍ୱାଳାରେ ସେମିତି ଜଳିବ, ଛଟପଟ ହେବ ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ବର୍ତ୍ତମାନ ଏଭଳି ଗରମ ଜାରି ରହିବ ୨୦ ତାରିଖ ପର୍ୟ୍ୟନ୍ତ । ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଗୁରୁଚାପ ବଳୟ ଉତ୍ତର-ପଶ୍ଚିମରୁ ଆସୁଥିବା ଶୁଷ୍କ ବାୟୁକୁ ତଳମୁହାଁ କରାଇ ଦେଉଛି । ଏହା ତାପମାତ୍ରା ବଢ଼ାଉଥିବାବେଳେ ବାୟୁମଣ୍ଡଳରେ ଜଳୀୟବାଷ୍ପ ରହିଲେ ମଧ୍ୟ ବର୍ଷା କରାଇ ଦେଉନି । ଗୁରୁଚାପ ବଳୟ ଦୁର୍ବଳ ହେଲେ ହିଁ ବର୍ଷା ହେବ । ଅନୁମାନ କରାଯାଉଛି, ୨୦ରୁ ପାଗ ବଦଳିବା ସହ କାଳବୈଶାଖୀଜନିତ ବର୍ଷା ବଢ଼ିପାରେ ।
Powered by Froala Editor