ଲକଡାଉନ ଭୟରେ ପ୍ରବାସୀ ଓଡ଼ିଆ ଆତଙ୍କିତ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ନଜରରେ ରଖି ଦିଲ୍ଲୀରେ ନାଇଟ କର୍ଫୁ୍ୟ ଆରମ୍ଭ ହୋଇଛି । ଆଗକୁ ଦିନ କର୍ଫୁ୍ୟ ସମ୍ଭାବନା ମଧ୍ୟ ରହିଛି । ଦିଲ୍ଲୀ ଓ ଏହାର ଆଖପାଖ ଏନସିଆର ଅଞ୍ଚଳରେ ରହୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଏହାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି । ସେମାନେ ରାଜ୍ୟକୁ ଫେରିବା ଆରମ୍ଭ କରିଥିବା ଜଣାପଡ଼ିଛି । ଦିଲ୍ଲୀ ଓ ଏନସିଆର ଅଞ୍ଚଳ (ଗାଜିଆବାଦ, ସାହିବାବାଦ, ନୋଏଡା, ଗ୍ରେଟର ନୋଏଡା, ଫରିଦାବାଦ, ଗୁରୁଗ୍ରାମ) ରେ ବହୁ ସଂଖ୍ୟକ ଓଡ଼ିଆ ପାଇପ ମିସ୍ତ୍ରି ତଥା କିଛି ଫ୍ୟାକ୍ଟି୍ରମାନଙ୍କରେ ଓଡ଼ିଆ ଶ୍ରମିକମାନେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସଂଖ୍ୟା ସମ୍ପର୍କରେ କୌଣସି ସଠିକ ତଥ୍ୟ ଉପଲବ୍ଧ ହେଉ ନଥିବା ବେଳେ ଗତବର୍ଷ ତୁଳନାରେ ଚଳିତ ବର୍ଷ ସେମାନଙ୍କର ସଂଖ୍ୟା କମ୍ । ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ପରିସ୍ଥିତି ଆଗକୁ ଜଟିଳ ହେବା ଆଶଙ୍କାରୁ ଏବେ ନିଜ ଗାଁକୁ ଫେରିବାକୁ ପ୍ରସ୍ତୁତ ହେଲେଣି । ବିଳମ୍ବ ହେଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ସେମାନେ ଅନୁମାନ କରୁଛନ୍ତି ।