ଜାଣିଲେ ହେବେ ଆଶ୍ଚର୍ଯ୍ୟ, ବାହାଘରରେ ଗୁଳି ଫୁଟାଇ ଫସିଲେ କନ୍ୟା
ହାଥରାସ : ଫିଲ୍ମ ଷ୍ଟାଇଲରେ ବାହାଘର । ଉତ୍ତରପ୍ରଦେଶର ହାଥରାସରେ ଏକ ବିବାହ ମଣ୍ଡପରେ ଫୁଟିଲା ଗୁଳି । କିନ୍ତୁ କାହାକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଏହି ଗୁଳି ଫୁଟିନଥିଲା । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଗୁଳି ଫୁଟାଇଥିଲେ ନିଜେ କନ୍ୟା । ବର-କନ୍ୟା ପରସ୍ପରକୁ ଫୁଲମାଳ ପିନ୍ଧାଇବା ପରେ କନ୍ୟା ୪ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ । ବିବାହ ମଣ୍ଡପର ଏହି ଭିଡିଓ ଏବେ ଜୋରଦାର ଭାଇରାଲ୍ ହେବାପରେ ଉକ୍ତ ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଏନେଇ ଏକ ମାମଲା ରୁଜୁ ହେବାପରେ କନ୍ୟା ଫେରାର୍ ଅଛନ୍ତି ।
ଶୁକ୍ରବାର ରାତିରେ ହାଥରାସ ଜଙ୍କସନ୍ ଅଧୀନ ସଲେମପୁର ଗ୍ରାମରେ ଥିବା ଏକ ଗେଷ୍ଟ୍ ହାଉସରେ ଏହି ବିବାହ ଉତ୍ସବ ହୋଇଥିଲା । ବରକନ୍ୟା ପରସ୍ପରକୁ ଫୁଲ ମାଳ ପିନ୍ଧାଇବା ପରେ ଏହି ଗୁଳି ଫୁଟିଥିଲା । ମାଳ ପିନ୍ଧା କାର୍ଯ୍ୟ ସମ୍ପନ୍ନ ହେବା ପରେ କଳା ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ଷ୍ଟେଜ୍ ଉପରକୁ ଚଢ଼ିଥିଲେ । କିଛି ସମୟ ପରେ ସେ କନ୍ୟାଙ୍କ ହାତକୁ ରିଭଲଭର ବଢ଼ାଇଥିଲେ । ଏହାପରେ କନ୍ୟା ୪ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁଣିଥରେ ରିଭଲଭର ଫେରାଇ ଦେଇଥିଲେ । ତେବେ ଉକ୍ତ ଘଟଣାର ଏକ ଭିଡିଓ ଭାଇରାଲ ହେବାପରେ ପୁଲିସ ଏନେଇ ମାମଲା ରୁଜୁ କରିଛି ।
ହାଥରାସ ଏଏସପି ଅଶୋକ କୁମାର ସିଂହ କହିଛନ୍ତି, ଭିଡିଓ ଆଧାରରେ ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ କନ୍ୟାର ପରିବାର ସଦସ୍ୟଙ୍କୁ ଖୁବଶୀଘ୍ର ଜେରା କରାଯିବ । ପୁଲିସ ଏନେଇ ମାମଲା ରୁଜୁ କରିବାପରେ କନ୍ୟା ଫେରାର୍ ଅଛନ୍ତି । କନ୍ୟାକୁ ରିଭଲଭର ଦେଇଥିବା ବ୍ୟକ୍ତି ମଧ୍ୟ ଫେରାର ଅଛନ୍ତି ।
Powered by Froala Editor