ସ୍ଲଟ୍ ବୁକିଂ ଝିନ୍ଝଟ୍ରୁ ମୁକ୍ତି, ଏବେ ଅନ୍ସ୍ପଟ୍ ପଞ୍ଜିକରଣ

ନୂଆଦିଲ୍ଲୀ: ଯୁବବର୍ଗଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଅଶିକ୍ଷିତ, ଇଣ୍ଟରନେଟ୍ ଜ୍ଞାନ ନଥିବା ବ୍ୟକ୍ତିମାନେ ଏଣିକି ଆଉ ଟିକା ପାଇଁ ହଇରାଣ ହେବାକୁ ପଡ଼ିବନି । କାହା ଉପରେ ନିର୍ଭରଶୀଳ ମଧ୍ୟ ହେବେନି । କାରଣ କେନ୍ଦ୍ର ସରକାର ଅନସ୍ପଟ୍ ପଞ୍ଜିକରଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଫଳରେ ଟିକାକରଣ କେନ୍ଦ୍ରରେ ପହଞ୍ଚିବା ପରେ ସେମାନଙ୍କ ସେଠାରେ ପଞ୍ଜିକରଣ କରାଯାଇ ତୁରନ୍ତ ଟିକା ଦିଆଯାଇ ପାରିବ ।
ଏବେ ଆଉ ସ୍ଳଟ୍ ବୁକିଂ ଝିନଝଟ୍ ନାହିଁ । ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ଅନସ୍ପଟ୍ର ସୁବିଧା କରାଯାଇଛି । ଏହି ବର୍ଗର ଲୋକମାନେ ଅନ୍ଲାଇନ୍ ଏବଂ ଅଫଲାଇନ୍ରେ ପଞ୍ଜିକରଣ କରି ଟିକାକେନ୍ଦ୍ରକୁ ଯାଇ ଡୋଜ୍ ନେଇପାରିବେ । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପଛରେ ବଡ଼ କାରଣ ହେଉଛି ଟିକାର ଅପଚୟ । ଏହି ଅପଚୟ ରୋକିବାକୁ ଏ ପ୍ରକାର ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । ଇଣ୍ଟରନେଟ୍ କିମ୍ବା ମୋବାଇଲ୍ ବ୍ୟବହାର କରିପାରୁନଥିବା ଲୋକମାନେ ଏହି ବ୍ୟବସ୍ଥାର ଫାଇଦା ନେଇପାରିବେ । ତେବେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ ନିଜ ନିଜର ସ୍ଥିତି ପରଖିଲା ପରେ ଏହି ଅନସ୍ପଟ୍ ପଞ୍ଜିକରଣ ପାଇଁ ଅନୁମତି ଦେଇପାରିବେ । ଏହି ସବୁ ସୁବିଧା ସତ୍ତ୍ୱେ ମଧ୍ୟ ଘରୋଇ ଟିକାକରଣ କେନ୍ଦ୍ରରେ ଏହାର ସୁବିଧା ମିଳିବ ନାହିଁ ।
Powered by Froala Editor