ଏହି କମ୍ପାନିର ଅଜବ ନିୟମ, ଖରାପ ପ୍ରଦର୍ଶନ କଲେ କର୍ମଚାରୀଙ୍କୁ ଚାପୁଡ଼ା ମାଡ଼
ନୂଆଦିଲ୍ଲୀ: ବିଶ୍ୱର ପ୍ରତ୍ୟେକ କମ୍ପାନିର କିଛି ସ୍ୱତନ୍ତ୍ର ନିୟମ ରହିଛି । ସେହି ଅନୁଯାୟୀ ସେମାନଙ୍କ ବ୍ୟବସାୟ ପରିଚାଳିତ ହୋଇଥାଏ । କର୍ମଚାରୀଙ୍କୁ ଉତ୍ସାହିତ କରିବାକୁ କିଏ ମନଲୋଭା ଅଫର୍ ଦିଏ ତ ଆଉ କିଏ ଆକର୍ଷଣୀୟ ଉପହାର ପ୍ରଦାନ କରିଥାଏ । କିଛି ଅନୁଷ୍ଠାନ ବିଭିନ୍ନ ଟୁର୍ ପ୍ୟାକେଜ୍ ଦେଇଥାନ୍ତି । ସେହିଭଳି ଯେଉଁମାନେ କର୍ମଚାରୀ ଖରାପ ପ୍ରଦର୍ଶନ କରନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ଅଧିକାଂଶ କମ୍ପାନିର ଏହି ନିୟମ ରହିଛି । ହେଲେ ଏଭଳି ଏକ କମ୍ପାନି ରହିଛି ଯେଉଁଠି ଭଲ କାମ କରୁନଥିବା କର୍ମଚାରୀଙ୍କୁ ଚାପୁଡ଼ା ମରାଯାଏ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି? ହେଲେ ଏହା ସତ୍ୟ ଘଟଣା । ହଂକଂର ଏକ ଇନ୍ସ୍ୟୁରାନ୍ସ କମ୍ପାନିରେ ଏହି ଅଜବ ନିୟମ ଲାଗୁ ହୋଇଛି । ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ୍ ମିଡିଆରେ ଏହା ବେଶ୍ ଭାଇରାଲ୍ ହେଉଛି ।
କମ୍ପାନିର କିଛି କର୍ମଚାରୀ ଫେସ୍ବୁକ୍ ପେଜରେ ଏହି ଘଟଣା ସେୟାର କରି ନିଜ ଦୁଃଖ ପ୍ରକାଶ କରିଛନ୍ତି । କର୍ମଚାରୀମାନେ ଉଲ୍ଲେଖ କରିଛନ୍ତି ଯେ, କମ୍ପାନିର ବାର୍ଷିକ ଉତ୍ସବରେ ରାତ୍ରୀ ଭୋଜନ ଚାଲିଥିଲା । ଠିକ୍ ସେତିକିବେଳେ କମ୍ପାନିର ବସ୍ ଖରାପ ପ୍ରଦର୍ଶନ କରୁଥିବା କର୍ମଚାରୀମାନଙ୍କୁ ମଞ୍ଚ ଉପରକୁ ଡାକିଥିଲେ । ଆଉ ପରସ୍ପରର ଗାଲକୁ ଚାପୁଡ଼ା ମାରିବାକୁ କହିଥିଲେ ।କର୍ମଚାରୀଙ୍କୁ ଉତ୍ସାହିତ କରିବାକୁ ଏପରି କରାଯାଇଥିବା କମ୍ପାନି ପକ୍ଷରୁ କୁହାଯାଉଥିବାବେଳେ ଏହା ମାନସିକ ସ୍ତରରେ ସେମାନଙ୍କୁ ଆଘାତ ଦେଇଛି ବୋଲି କର୍ମଚାରୀମାନେ ଉଲ୍ଲେଖ କରିଛନ୍ତି । ଘଟଣାଟି ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ, ଅନେକ କମ୍ପାନିକୁ ବନ୍ଦ କରିବାକୁ ଦାବି ରଖିଥିଲେ । ଏହି ଘଟଣା ପରେ କମ୍ପାନୀର ଅନେକ କର୍ମଚାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି ।
Powered by Froala Editor