ଆସୁଛି ବଡ଼ ବର୍ଷା, ରେଡ୍ ଆଲର୍ଟରେ ଗୁଜୁରାଟ
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ୧୫ ସେପ୍ଟେମ୍ବର ୨୦୨୬ ପାଇଁ ଦେଶର ୨୨ଟି ରାଜ୍ୟରେ ବର୍ଷା ସମ୍ବନ୍ଧୀୟ ସତର୍କତା ଜାରି କରାଯାଇଛି। ପ୍ରବଳ ବର୍ଷା କାରଣରୁ ଗୁଜୁରାଟ ପାଇଁ ‘ରେଡ ଆଲର୍ଟ’ ଘୋଷଣା କରାଯାଇଥିବା ବେଳେ ଦିଲ୍ଲୀ-ଏନସିଆର (Delhi-NCR), ଉତ୍ତର ପ୍ରଦେଶ, ବିହାର ଏବଂ ମଧ୍ୟ ପ୍ରଦେଶ ସମେତ ଅନେକ ପ୍ରମୁଖ ରାଜ୍ୟରେ ପ୍ରବଳ ପବନ ଓ ଘଡ଼ଘଡ଼ି ସହ ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।
ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ପାର୍ବତ୍ୟ ଅଞ୍ଚଳରେ ମଝିରେ ମଝିରେ ବର୍ଷା ଲାଗି ରହିବାର ସମ୍ଭାବନା ଅଛି। ଏହା ବ୍ୟତୀତ, ପାଣିପାଗ ବିଭାଗ ଉତ୍ତର-ପୂର୍ବ ଭାରତ (ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ) ଏବଂ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ (କେରଳ, କର୍ନାଟକ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଏବଂ ତାମିଲନାଡୁ) ପାଇଁ ମଧ୍ୟ ବର୍ଷା ସମ୍ବନ୍ଧୀୟ ସତର୍କତା ଜାରି କରିଛି।
ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। IMD ଅନୁଯାୟୀ, ଦିଲ୍ଲୀ-ଏନସିଆର ଅଞ୍ଚଳରେ ଆକାଶ ମେଘୁଆ ରହିବ ଏବଂ ହାଲୁକା ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ସର୍ବାଧିକ ତାପମାତ୍ରା ପ୍ରାୟ ୩୨ ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସ ରହିବ ବୋଲି ଆଶା କରାଯାଉଛି।
ବର୍ତ୍ତମାନ ଗୁଜୁରାଟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ପାଣିପାଗ ବିଭାଗ ଆଠଟି ଜିଲା ପାଇଁ ‘ରେଡ ଆଲର୍ଟ’ ଜାରି କରିଛି, ଯେଉଁଥିରେ ଅହମଦାବାଦ, ଗାନ୍ଧୀନଗର, ସୁରେନ୍ଦ୍ରନଗର, ରାଜକୋଟ, ମୋର୍ବି, ପୋରବନ୍ଦର, ଜାମନଗର ଏବଂ ଦେବଭୂମି ଦ୍ୱାରକା ଅନ୍ତର୍ଭୁକ୍ତଏବଂ ଏଠାରେ ଅତ୍ୟଧିକ ବର୍ଷା ହେବାର ସତର୍କତା ଜାରି କରାଯାଇଛି। ପଞ୍ଜାବ ଏବଂ ହରିୟାଣା: ପାଣିପାଗ ବିଭାଗ ଏହି ରାଜ୍ୟଗୁଡ଼ିକର ବାସିନ୍ଦାମାନଙ୍କୁ ବଜ୍ରପାତ ଏବଂ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି।
Powered by Froala Editor