ଚିନ୍ତାରେ ବିଟକଏନ ନିବେଶକ
ନୂଆଦିଲ୍ଲୀ: ବିଟକଏନ, ଡୋଜକଏନ ଭଳି ଡିଜିଟାଲ୍ ମୁଦ୍ରା ନିବେଶକମାନଙ୍କ ବେଳା ବହୁତ ଖରାପ ଚାଲିଛି । ଗୋଟିଏ ସପ୍ତାହ ଭିତରେ ଅଧିକାଂଶ ନିବେଶକ କାଙ୍ଗାଳ ହୋଇପଡ଼ିଛନ୍ତି । ବିଟକଏନ ମୂଲ୍ୟ ଏହି ସାତ ଦିନରେ ଅଧା ହ୍ରାସ ପାଇ ୩୦,୦୦୦ ଡଲାର ତଳକୁ ଖସିଯାଇଥିଲା । ଅନ୍ୟ ଡିଜିଟାଲ୍ ମୁଦ୍ରା ମୂଲ୍ୟରେ ମଧ୍ୟ ୬୫% ପର୍ଯ୍ୟନ୍ତ ହ୍ରାସ ଘଟିଛି । ମୋଟ ଉପରେ ଡିଜିଟାଲ୍ ମୁଦ୍ରା ନିବେଶକମାନେ ୮୩,୦୦୦ କୋଟି ଡଲାର ହରାଇଥିବା ଜଣାପଡ଼ିଛି । କିଛି ନିବେଶକ ଟ୍ୱିଟରରେ ଜଣାଇଛନ୍ତି ଯେ ଡୋଜକଏନ ନାମକ ମୁଦ୍ରା ମୂଲ୍ୟ ହ୍ରାସ ପାଇବା ପରେ ସେମାନେ ବାସହରା ହୋଇପଡ଼ିଛନ୍ତି । କ୍ରିପାଟୋ ମୁଦ୍ରା ବା ଡିଜିଟାଲ ମୁଦ୍ରା ମୂଲ୍ୟରେ ହୋଇଥିବା ହ୍ରାସ ପଛରେ ଦୁଇଟି ବଡ଼ କାରଣ ରହିଛି । ପ୍ରଥମଟି ହେଉଛି ଆମେରିକାର ଇଲେକ୍ଟ୍ରିକ୍ କାର୍ ନିର୍ମାତା ଟେସଲାର ନିଷ୍ପତ୍ତି ।
କିଛି ଦିନ ତଳେ ଏହି କଂପାନି ବିଟକଏନ ଜରିଆରେ କାର କିଣିହେବ ବୋଲି ଘୋଷଣା କରିଥିଲା । ହଠାତ ସେହି ନିଷ୍ପତ୍ତିକୁ ବଦଳାଇ ଦେବାରୁ ନିବେଶକମାନେ ବିଚଳିତ ହୋଇ ବିଟକଏନ ବିକ୍ରି କରିଥିଲେ । ନିଷ୍ପତ୍ତି ବଦଳାଇବା ପଛର କାରଣ ବିଷୟରେ ଟେସଲା ଜଣାଇଥିଲା ଯେ ବିପୁଳ ପରିମାଣର ତାପଜ ବିଦୁ୍ୟତକୁ ବ୍ୟବହାର କରି ବିଟକଏନ ତିଆରି କରାଯାଉଛି ଯାହା ପରିବେଶ ପ୍ରତି ବିପଦ । ଏକ ପରିବେଶ ସମ୍ବେଦନଶୀଳ କଂପାନି ହୋଇଥିବାରୁ ବିଟକଏନ ବ୍ୟବହାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଡିଜିଟାଲ ମୁଦ୍ରା ମୂଲ୍ୟରେ ହୋଇଥିବା ହ୍ରାସର ଦ୍ୱିତୀୟ କାରଣଟି ହେଉଛି ଚୀନ ଲଗାଇଥିବା କଟକଣା । କ୍ରିପଟୋ ମୁଦ୍ରା ମାଇନିଂ ଉପରେ ଚୀନ ଚଢ଼ାଉ ଆରମ୍ଭ କରିଛି ।
Powered by Froala Editor