ସମୁଦ୍ରରୁ ୨ରୁ ୪ ମିଟର ଜୁଆର ଆସିବା ସମ୍ଭାବନା

ଭୁବନେଶ୍ୱର : ବାତ୍ୟା ୟଶ ପ୍ରଭାବରେ ସମୁଦ୍ରରୁ ୨ରୁ ୪ ମିଟର ଜୁଆର ଆସିବା ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଜୁଆର ଆସିବା ସମ୍ଭାବନା ରହିଛି । ଆଗକୁ ପୂର୍ଣ୍ଣିମା ଥିବାରୁ ଓ ସମ୍ପୃକ୍ତ ଅଞ୍ଚଳ ସମତଳ ଥିବାରୁ ଜୁଆର ଆସିପାରେ ବୋଲି ଆଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ବାତ୍ୟା ୟଶ ଏବେ ପାରାଦୀପ ଠାରୁ ୫୦୦ କିମି ଦୂରରେ ରହିଛି । ଏବେ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କିମି ଭିତରେ ରହିଛି । ଆଜି ଭୀଷଣ ବାତ୍ୟାର ରୂପ ନେବ । ଆସନ୍ତାକାଲି ଅତି ଭୀଷଣରେ ପରିଣତ ହେବ । ୨୬ ତାରିଖ ଦ୍ୱିପ୍ରହରରେ ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ବାଲେଶ୍ୱର ଜିଲ୍ଲାଦେଇ ଅତିକ୍ରମ କରିବା ସମ୍ଭାବନା ଅଧିକ ରହିଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୮୫ କିମି ମଧ୍ୟରେ ରହିବ । ଆଜି ଅପରାହ୍ନରୁ ଉପକୂଳ ଅଞ୍ଚଳରେ ୪୦/୫୦ କିମି ପବନ ହେବ । ୨୫ ତାରିଖ ମଧ୍ୟରାତ୍ର ପରେ ପବନ ବଢିବ, ୮୦ କିମି ଛୁଇଁପାରେ । ୨୬ ତାରିଖ ସକାଳୁ ପବନର ବେଗ ବଢି ୧୨୦୦ରୁ ୧୩୦ କିମି ହେବ । ଉପକୂଳ ଛୁଇଁଲା ବେଳକୁ ପବନର ବେଗ ସର୍ବାଧିକ ୧୫୫ରୁ ୧୮୫ ହେବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଅଧିକ ପ୍ରଭାବ ପଡ଼ିବ । ସମ୍ପୃକ୍ତ ୪ ଜିଲ୍ଲାରେ ୧୨୦ରୁ ୧୬୦ କିମି ବେଗରେ ପବନ ବୋହିପାରେ । ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ୯୦ରୁ ୧୨୦ କିମି ପର୍ଯ୍ୟନ୍ତ ପବନ ବୋହିବ । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୬୦ରୁ ୮୦ କିମି ବେଗରେ ପବନ ବୋହିବ । କାଲି ଓ ୨୬ ତାରିଖରେ ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ ବୋଲି ଆଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
Powered by Froala Editor