ସୋନମ୍ ଓ୍ୱାଙ୍ଗଚୁକଙ୍କ ପାଇଁ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ
ଏନ୍ଇଇଟି ଏବଂ ଅନ୍ୟାନ୍ୟ ପରୀକ୍ଷା ବ୍ୟବସ୍ଥାରେ ଅନିୟମିତତା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଆକ୍ଟିଭିଷ୍ଟ ସୋନମ୍ ଓ୍ୱାଙ୍ଗ୍ଚୁକ୍ ଦିଲ୍ଲୀର ଯନ୍ତରମନ୍ତରରେ ଚଳାଇଥିବା ଅନଶନ ବୁଧବାର ୧୮ ଦିନ ପୂରଣ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି ‘କକ୍ରୋଚ ଜନତା ପାର୍ଟି’ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ସେ ଗତ ଜୁନ ୨୮ରୁ ଆମରଣ ଅନଶନରେ ଅଛନ୍ତି ା ଅନଶନ ଯୋଗୁ ପ୍ରାୟ ୮.୯ କେଜି ଓଜନ ହରାଇବା ସହ ବାରମ୍ୱାର ଲୋ ବ୍ଲଡ ସୁଗାର, ମୁଣ୍ଡ ବୁଲାଇବା ଏବଂ ଅତ୍ୟଧିକ ଶାରୀରିକ ଦୁର୍ୱଳତାର ଶିକାର ହୋଇଛନ୍ତି ା ସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କୁ ତୁରନ୍ତ ଜୀବନ ରକ୍ଷାକାରୀ ଔଷଧ ଯୋଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି ା
ଜନ୍ତରମନ୍ତରଠାରେ ଅନଶନରେ ବସିଥିବା ସୋନମ ଓ୍ୱାଙ୍ଗଚୁକଙ୍କ ବିଗୁଡ଼ୁଥିବା ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସନ୍ତା ଗୁରୁବାର ଦିଲ୍ଲୀ ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି କରିବେ। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟ ବିଚାରପତି ଡି.କେ. ଉପାଧ୍ୟାୟ ଏବଂ ବିଚାରପତି ତେଜସ କାରିଆଙ୍କ ଖଣ୍ଡପୀଠ ଗୁରୁବାର ଏହାର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି ଏବଂ ଏଥିସହ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଆବେଦନକାରୀ ଆଡ୍ଭୋକେଟ ରାକେଶ କୁମାର ସୈନି କୋର୍ଟଙ୍କୁ ଜଣାଇଛନ୍ତ ଯେ, ସମଗ୍ର ଦେଶ ଆଗରେ ଜଣେ ସଚେତନ ନାଗରିକଙ୍କ ଜୀବନ ସଙ୍କଟରେ ପଡ଼ିବା ଦୁର୍ଭାଗ୍ୟଜନକ।
Powered by Froala Editor