ପିଏମ ପୋଷଣ: ଦ୍ୱିତୀୟ କିସ୍ତିରେ ଓଡ଼ିଶାକୁ ୨୮୩.୭୮ କୋଟି ଟଙ୍କା ପ୍ରଦାନ
ନୂଆଦିଲ୍ଲୀ: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପିଏମ ପୋଷଣରେ ଓଡ଼ିଶାକୁ ଦ୍ୱିତୀୟ କିସ୍ତିରେ ୨୮୩.୭୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ତରଫରୁ ପିଏମ ପୋଷଣର ଦ୍ୱିତୀୟ କିସ୍ତିର ଅର୍ଥ ଜାରି କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ଏହି ପତ୍ର ପାଇବା ପରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ମାଧ୍ୟମରେ ପିଏମ ପୋଷଣର ଦ୍ୱିତୀୟ କିସ୍ତିର ବିଳମ୍ବର କାରଣ ଜଣାଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୨୮୩.୭୮ କୋଟି ଟଙ୍କା ଏହି ଅର୍ଥ ପ୍ରଦାନ କରାଯାଇସାରିଛି ।
ପିଏମ ପୋଷଣ ଯୋଜନା ଅନ୍ତର୍ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ବାର୍ଷିକ କାର୍ୟ୍ୟକ୍ରମ ଓ ବଜେଟ୍ ନିମନ୍ତେ ଭାରତ ସରକାର କେନ୍ଦ୍ରୀୟ ଅଂଶ ବାବଦରେ ୫୭୫.୯୮ କୋଟି ଟଙ୍କା ଏବଂ ରାଜ୍ୟ ଅଂଶ ବାବଦରେ ୩୩୦.୯୭ କୋଟି ଟଙ୍କା ବ୍ୟବସ୍ଥା କରି ସମୁଦାୟ ୯୦୬.୯୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ପ୍ରଥମ କିସ୍ତିରେ ୨୭୯.୯୫ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ବେଳେ ରାଜ୍ୟ ପାଖରେ ଥିବା ୮ କୋଟି ଟଙ୍କା ବଳକା ରହିଥିଲା । ଭାରତ ସରକାର ଅକ୍ଟୋବର ୦୧, ୨୦୨୨ରେ ସାମଗ୍ରିକ ଖର୍ଚ୍ଚକୁ ୯.୬ ପ୍ରତିଶତ ବୃଦ୍ଧି କରିଥିଲେ । ଅନୁରୂପ ଭାବେ କେନ୍ଦ୍ରୀୟ ଅଂଶ ୫୯୬.୭୫ କୋଟି ଟଙ୍କା ହୋଇଥିବା ବେଳେ ରାଜ୍ୟର ଅଂଶ ୩୪୪.୨୪ କୋଟି ଟଙ୍କା ହୋଇଥିଲା । ରାଜ୍ୟ ସରକାରଙ୍କୁ ଏହି ଅନୁପାତରେ ନିଜର ଅତିରିକ୍ତ ବଜେଟରେ ଅର୍ଥ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ।
ରାଜ୍ୟ ସରକାରଙ୍କ ଦ୍ୱାରା ବଜେଟରେ ଓ ପରେ ନିଜର ଅତିରିକ୍ତ ବଜେଟରେ ବର୍ଦ୍ଧିତ ଆବଣ୍ଟନ ନଥିବା କାରଣରୁ କେନ୍ଦ୍ରୀୟ ଅଂଶ ଭାବରେ ୩୩.୩୧ କୋଟି ଏବଂ ରାଜ୍ୟ ଅଂଶ ଭାବରେ ୧୭. ୬୮ କୋଟି ନିଅଣ୍ଟ ପଡିଥିଲା । ଏବେ ରାଜ୍ୟ ସରକାରଙ୍କ ସ୍କୁଲ ଗଣଶିକ୍ଷା ବିଭାଗ ଦ୍ୱାରା ମାର୍ଚ୍ଚ ୨୦୨୩ରେ ଏକ ପତ୍ର ମାଧ୍ୟମରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ଏବଂ ରାଜ୍ୟ ଅଂଶ ପାଇଁ ଅତିରିକ୍ତ ଅର୍ଥ ବ୍ୟବସ୍ଥା କରିବା ପାଇଁ ଅସମର୍ଥ ଥିବା ଦର୍ଶାଇଛନ୍ତି। ରାଜ୍ୟ ସରକାରଙ୍କ ପୂର୍ବ ପ୍ରସ୍ତାବକୁ ତର୍ଜମା କରିବା ପରେ ପିଏମ ପୋଷଣ ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇଛି ।
Powered by Froala Editor