ମେ' ୨୬ରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆନ୍ଦୋଳନ ଡାକରା : ସମର୍ଥନରେ ଠିଆ ହେଲେ କଂଗ୍ରେସ ସହ ୧୨ ବିରୋଧୀ ଦଳ

ମେ ୨୬ ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବ । ଏହି ବିରୋଧ ପ୍ରଦର୍ଶନକୁ ସମର୍ଥନ କରିଛନ୍ତି କଂଗ୍ରେସ ସହ ୧୨ ବିରୋଧୀ ଦଳ । କଂଗ୍ରେସ, ଜେଡି-ଏସ, ଏନସିପି, ଟିଏମସି, ଶିବସେନା, ଡିଏମକେ, ଜେଏମଏମ, ଜମ୍ମୁ ଆଣ୍ଡ କଶ୍ମୀର ନ୍ୟାସନାଲ କନଫରେନ୍ସ, ସମାଜବାଦୀ ପାର୍ଟି, ଆରଜେଡି, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ଓ ସିପିଆଇ-ଏମ ପାର୍ଟି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।
ସୂଚନାଥାଉକି, ମେ' ୧୨ରେ ବିରୋଧୀ ଦଳ ଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି କୃଷି ଆଇନକୁ ପ୍ରତ୍ୟାହାର କରିବା ଲାଗି ଅପିଲ କରିଥିଲେ। ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ୨୬ରେ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ନୂଆ କୃଷି ଆଇନ୍ ବିରୋଧରେ ଚାଷୀଙ୍କ ଏହି ଆନ୍ଦୋଳନକୁ ଜାନୁଆରୀ ୨୬ରେ ୨ ମାସ ବିତିଥିଲା ଓ ଏହି ଦିନ ଚାଷୀମାନେ ଏକ ଟ୍ରାକ୍ଟର ରାଲି କରିଥିଲେ। ହେଲେ ଏହି ରାଲି ହିଂସାକାଣ୍ଡରେ ପରିଣତ ହୋଇଥିଲା। ଆନ୍ଦୋଳନରେ ବସିଥିବା ଚାଷୀଙ୍କୁ ବୁଝାଇବାକୁ ସରକାର ବାରମ୍ବାର ବୈଠକ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିନାହିଁ।
ବର୍ତ୍ତମାନ ପୁଣି କୃଷକ ମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଡାକରା ଦେଇଛି । ବିରୋଧୀ ଦଳର ମିଳିତ ବିବୃତ୍ତିରେ କୁହାଯାଇଛି ଯେ, ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ) ଦ୍ୱାରା ୨୬ ମେ ରେ ଦେଶବ୍ୟାପୀ ବିରୋଧ ଦିବସ ପାଳନ କରିବାକୁ ଦିଆଯାଇଥିବା ଆହ୍ୱାନ୍ କୁ ଆମେ ସମର୍ଥନ କରୁଛୁ। ଏହାପୂର୍ବରୁ, ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ବଲବୀର ସିଂ ରାଜୱାଲ ୨୬ ମେ ରେ ଏକ କଳା ଦିନ ପାଳନ କରିବାକୁ ଆହ୍ୱାନ୍ ଦେଇଥିଲେ । ମେ ୨୬ ରେ, ଆମେ ଏହି ବିରୋଧର ଛଅ ମାସ ପୂରଣ କରିବୁ ଏବଂ ଏହା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ସରକାର ଗଠନ କରିବାର ସାତ ବର୍ଷ ପୂରଣ ହେବ। ଆମେ ଏହାକୁ କଳା ଦିନ ଭାବରେ ପାଳନ କରିବୁ ବୋଲି ରାଜୱାଲ ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପ୍ରତିବାଦ ସ୍ୱରୂପ ସେ ନିଜ ଘର, ଗାଡି ଏବଂ ଦୋକାନରେ କଳା ପତାକା ଉତ୍ତୋଳନ କରିବାକୁ ଦେଶର ଲୋକଙ୍କୁ ନିବେଦନ କରିଥିଲେ।
Powered by Froala Editor