ଆସୁଛି ଆଉ ଏକ ପଶ୍ଚିମାଝଡ଼
ଭୁବନେଶ୍ବର: ରାଜ୍ୟରେ ୧୫ ତାରିଖରୁ ପଶ୍ଚିମାଝଡ଼ ପ୍ରଭାବରେ ବିଭିନ୍ନ ସ୍ଥାନରେ କୁଆପଥର ମାଡ଼ ସହିତ ବିଜୁଳି ଘଡଘଡ଼ି, ବର୍ଷା ପବନ ହେଉଛି। ଗୋଟିଏ ପଶ୍ଚିମାଝଡ଼ ପ୍ରଭାବ ନ ଯାଉଣୁ ପୁଣି ଆସନ୍ତା ୨୩ ତାରିଖ ବେଳକୁ ଆସୁଛି ଆଉ ଏକ ପଶ୍ଚିମାଝଡ଼। ଏହି ପଶ୍ଚିମାଝଡ଼ ଭାରତର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବ ରାଜ୍ୟ ଉପରେ ପଡିବ କି ନାହିଁ ସେ ସମ୍ବନ୍ଧରେ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ନବରଙ୍ଗପୁର, କୋରାପୁଟ, ରାୟଗଡା, ମାଲକାନଗିରି, ଗଜପତି, ଗଞ୍ଜାମ, କଳାହାଣ୍ଡି ଏବଂ କନ୍ଧମାଳ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ।
ସପ୍ତାହ ହେଲା ପାଗ ମେଘୁଆ ରହୁଥିବା ବେଳେ ଏଣିକି ରାଜ୍ୟରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ। ଆସନ୍ତା ୩ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୨ରୁ ୪ଡିଗ୍ରୀ ବଢ଼ିବାର ଆଶଙ୍କା ରହିଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି, ୨୩ରେ ଆସୁଥିବା ପଶ୍ଚିମାଝଡ଼ ପ୍ରଭାବ ଓଡ଼ିଶା ଉପରେ ପଡିବ କି ନାହିଁ ତାହା ଏବେଠାରୁ ସଠିକ ଆକଳନ କରାଯାଇ ପାରୁନାହିଁ।
Powered by Froala Editor