ମହାମାରୀ ଭୟରେ ପୁଅ ସହ ୩ ବର୍ଷ ବନ୍ଦୀ : ଘରୁ ବାହାରିଲା ଗଦା ଗଦା ଅଳିଆ, ଅଇଁଠା, ଚୁଟି

କରୋନା କାଳରେ ଲୋକଙ୍କ ଦୁର୍ଦ୍ଦଶା ଅତି ଦୟନୀୟ ହୋଇଯାଇଥିଲା । ମୃତ୍ୟୁର ଛନକାରେ ସାରା ବିଶ୍ୱ ଯେମିତି ଜଡ ପାଲଟିଯାଇଥିଲା । କିନ୍ତୁ ଟିକାକରଣ ପରେ ପୁଣି ସ୍ୱାଭାବିକ ପରିସ୍ଥିତି ଫେରିଛି । ହେଲେ କରୋନାର ଆଉ ଏକ କରୁଣସ୍ଥିତି ଏବେ ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ୧୦ ବର୍ଷର ପୁଅକୁ ବଞ୍ଚାଇବା ପାଇଁ ୩ ବର୍ଷ ହେଲା ଘରେ ବନ୍ଦୀ ଜୀବନ ବିତାଉଥିଲେ । ଏବେ ତାଙ୍କୁ ବାହାରକୁ ଅଣାଯାଇଛି । ଏପରି ଏକ ଘଟଣା ଗୁରୁଗ୍ରାମରୁ ସାମ୍ନାକୁ ଆସିଛି। ମହିଳା ଜଣଙ୍କ ଏହି ସମୟରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଘର ଭିତରେ ପଶିବାକୁ ଅନୁମତି ଦେଉ ନଥିଲେ। ଘର ଭିତରେ ଗଦାଗଦା ଅଳିଆ ଓ ଆବର୍ଜନା ରହିଥିଲେ ମଧ୍ୟ ଏହାକୁ ୩ ବର୍ଷ ହେଲା ବାହାରେ ମଧ୍ୟ ଫିଙ୍ଗି ନଥିଲେ। ତେବେ ଧୈର୍ଯ୍ୟ ଅସମ୍ଭାଳ ହେବାରୁ ଗୋଟିଏ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥିବା ମହିଳାଙ୍କ ସ୍ୱାମୀ ସୁଜନ ମାଝୀ ମଙ୍ଗଳବାର ପୁଲିସର ଦ୍ୱାରସ୍ଥ ହୋଇଥିଲେ।
ଗୁରୁଗ୍ରାମର ଚକ୍ରପୁର ପୁଲିସ୍ , ଡାକ୍ତରୀ ଟିମ ଓ ଶିଶୁ କଲ୍ୟାଣ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଘରର ମୁଖ୍ୟ ଫାଟକ ଭାଙ୍ଗି ବନ୍ଦୀ ଜୀବନ ବିତାଉଥିବା ମୁନମୁନ ମାଝୀ ଓ ତାଙ୍କ ୧୦ ବର୍ଷର ପୁଅଙ୍କୁ ଉଦ୍ଧାର କରିଛନ୍ତି।
ଉଦ୍ଧାର ପରେ ଘରର ଭିତରର ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଘର ଭିତରେ ପୁଳାପୁଳା ଡ୍ରେସ ଗଦା ହୋଇ ରହିଥିବା ବେଳେ କଟା ଚୁଟି, ଅଳିଆ, ଅଇଁଟା ଜିନିଷ ଓ ଗ୍ରୋସରୀ ସବୁ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି। ୩ ବର୍ଷର ମୁନମୁନ ତାଙ୍କର ଓ ତାଙ୍କ ପୁଅଙ୍କ ଚୁଟି ଘର ଭିତରେ ହିଁ କାଟୁଥିଲେ। ଗ୍ୟାସ ବଦଳରେ ସେ ଇଣ୍ଡକ୍ସନରେ ରୋଷେଇ କରୁଥିଲେ।
ମୁନମୁନଙ୍କ ଘର ପାଖରେ ଅନେକ ଲୋକ ରହୁଥିଲେ ହେଁ ସେମାନେ ବି ଏସମ୍ପର୍କରେ କିଛି ବି ସୁରାକ ପାଇ ନଥିଲେ। ଜଣେ ପୁଲିସ ଅଧିକାରୀ କହିଛନ୍ତି, କରୋନାକୁ ଅତ୍ୟନ୍ତ ଭୟ କରୁଥିବାରୁ ମହିଳା ଜଣଙ୍କ ଏପରି କରିଛନ୍ତି। ଯଦି ସେ ଘର ବାହାରକୁ ଯିବେ, ତା’ହେଲେ ତାଙ୍କ ପୁଅ ମରିଯିବ ବୋଲି ଆଶଙ୍କା କରୁଥିଲେ।
Powered by Froala Editor