୧୮ ମାସ ସ୍ମାର୍ଟ ଫୋନ୍ ଛାଡିଦେଲେ, ପୁଣି ଦୃଷ୍ଟିଶକ୍ତି ଫେରିପାଇଲେ ମହିଳା
ବିନାଶ ଆଡକୁ ନେଲାଣି ସ୍ମାର୍ଟ ଫୋନ । ସ୍ମାର୍ଟ ଫୋନ୍ ବହୁ ରୋଗର କାରଣ ବୋଲି ବିଶେଷଜ୍ୟମାନେ ବହୁଥିବାବେଳେ ଏବେ ଖବର ମିଳିଛି ଯେ, ହାଇଦ୍ରାବାଦର ଜଣେ ମହିଳା ଫୋନ ଯୋଗୁଁ ଦୃଷ୍ଟିଶକ୍ତି ହରାଇଛନ୍ତି । ମଞ୍ଜୁନାମ୍ନୀ ୩୦ ବର୍ଷ ବୟସ୍କା ମହିଳା ଗତ ଦେଢବର୍ଷ ଧରି ଅନ୍ଧାରରେ ନିଜର ସ୍ମାର୍ଟଫୋନ ବ୍ୟବହାର କରୁଥିଲେ । ସେ ଜଣେ ବ୍ୟୁଟିସିଆନ ଥିଲେ ଏବଂ ତାଙ୍କର ସନ୍ତାନର ସ୍ୱତନ୍ତ୍ର ଆବଶ୍ୟକତା ଦୃଷ୍ଟିରୁ ସେ ଚାକିରି ଛାଡି ଘରେ ରହିଥିଲେ । ତେବେ ଘରେ ଥିବା ବେଳେ ସେ ସ୍ମାର୍ଟଫୋନର ବ୍ୟବହାର ଅଧିକ କରିଥିଲେ ଏବଂ ଏପରିକି ଅନ୍ଧାରରେ ଘଣ୍ଟା ଘଣ୍ଟା ଧରି ତାହାର ବ୍ୟବହାର କରିଥିଲେ । ଏହି କାରଣରୁ ସେ ସ୍ମାର୍ଟଫୋନ ଭିଜନ ସିଣ୍ଡ୍ରୋମ ବା ଏସଭିଏସର ଶିକାର ହୋଇଥିଲେ ।
ଡାକ୍ତରଙ୍କ ପରାମର୍ଶ ମାନି ମଞ୍ଜୁ ସ୍ମାର୍ଟଫୋନର ସ୍କ୍ରିନ ଦେଖିବା ବନ୍ଦ କରିଥିଲେ । ପ୍ରାୟ ୧୮ ମାସ ପରେ ତାଙ୍କର ଏହି ସମସ୍ୟା ଦୂରୀଭୂତ ହୋଇଯାଇଥିଲା ଏବଂ ସେ ସ୍ବାଭାବିକ ଦୃଷ୍ଟିଶକ୍ତି ଫେରିପାଇଛନ୍ତି । ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ଉଦ୍ଦେଶ୍ୟରେ ଡାକ୍ତର କୌଣସି ପ୍ରକାର ଡିଜିଟାଲ ଡିଭାଇସର ସ୍କ୍ରିନକୁ ଦୀର୍ଘ ସମୟ ଧରି ନ ଦେଖିବା ଲାଗି ପରାମର୍ଶ ଦେଇଛନ୍ତି । ଏହାସହ ୨୦-୨୦-୨୦ ନିୟମ ଲାଗି ପରାମର୍ଶ ଦେଇଛନ୍ତି । ଏହି ନିୟମଟି ହେଲା, ପ୍ରତି ୨୦ ମିନଟରେ ୨୦ ସେକଣ୍ଡ ବ୍ରେକ ନିଅନ୍ତୁ ଏବଂ ୨୦ ଫୁଟ ଦୂରକୁ ଦେଖିବାକୁ ଚେଷ୍ଟା କରନ୍ତୁ ।
କମ୍ପ୍ୟୁଟର, ସ୍ମାର୍ଟଫୋନ ଓ ଅନ୍ୟ ଡିଜିଟାଲ ଉପକରଣକୁ ଦୀର୍ଘ ସମୟ ଧରି ଚଳାଇବା ଦ୍ୱାରା ଏହି ସିଣ୍ଡ୍ରୋମ ହେବାର ସମ୍ଭାବନା ରହିଥାଏ । ଏହାର ପ୍ରଭାବରେ ଆଖିର ଦୃଷ୍ଟିଶକ୍ତି ପ୍ରତି ବିପଦ ରହିଥାଏ । ଏଥିସହିତ ମୁଣ୍ଡବ୍ୟଥା, ଗର୍ଦନ ଓ କାନ୍ଧ ଯନ୍ତ୍ରଣା ସମସ୍ୟା ମଧ୍ୟ ଦେଖାଦେଇଥାଏ ।
Powered by Froala Editor