ଆଜି କେନ୍ଦ୍ର ବଜେଟ୍ : ଉପସ୍ଥାପିତ କରିବେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ୨୦୨୩-୨୪ ବର୍ଷ ଲାଗି ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପିତ ହେବ। ସରକାରଙ୍କ ପକ୍ଷରୁ ମଙ୍ଗଳବାର ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୨-୨୩ ଉପସ୍ଥାପନ କରାଯାଇଛି। ଏଥିରେ ଆକଳନ କରାଯାଇଛି ଯେ ଆସନ୍ତା ଆର୍ଥିକ ବର୍ଷ (୨୦୨୩-୨୪)ରେ ଦେଶର ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ହ୍ରାସ ପାଇବ। କିନ୍ତୁ କୁହାଯାଇଛି ଯେ ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇରହିବ। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍ ), ବିଶ୍ବବ୍ୟାଙ୍କ, ଏସିଆନ୍ ଡେଭେଲପ୍ ମେଣ୍ଟ୍ ବ୍ୟାଙ୍କ (ଏଡିବି) ଓ ଭାରତୀୟ ରିଜର୍ଭ ବ୍ୟାଙ୍କ କରିଥିବା ଆକଳନ ଆଧାରରେ ସରକାର ସର୍ଭେ ରିପୋର୍ଟରେ ଏଭଳି ଦାବି କରିଛନ୍ତି।
ଅନ୍ୟପକ୍ଷରେ ବିଶ୍ବ ସ୍ତରରେ ଘଟିବାକୁ ଥିବା ବିଭିନ୍ନ ଅର୍ଥନୈତିକ ଓ ରାଜନୈତିକ ଘଟଣା ପ୍ରଭାବରେ ବାସ୍ତବ ଅଭିବୃଦ୍ଧି ହାର ୬ରୁ ୬.୮ ପ୍ରତିଶତ ମଧ୍ୟରେ ରହିବ। ସେହିଭଳି ଚଳିତ ଆର୍ଥିକ ବର୍ଷ (୨୦୨୨-୨୩) ରେ ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। କରୋନା ମହାମାରୀ, ରୁଷ୍-ୟୁକ୍ରେନ୍ ଯୁଦ୍ଧ, କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ବାରା ସୁଧ ବୃଦ୍ଧି, ମହଙ୍ଗା ଡଲାର ଓ ଚଳନ୍ତି ଖାତା ନିଅଣ୍ଟରେ ବୃଦ୍ଧି ଭଳି ବହୁ ଆହ୍ବାନ ସତ୍ତ୍ବେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇରହିବ। ନିକଟରେ ଚୀନ୍ ରେ ଦେଖାଦେଇଥିବା କରୋନା ମହାମାରୀ ଲହର ଯୋଗାଣ ଶୃଙ୍ଖଳକୁ ବିଶେଷ ପ୍ରଭାବିତ କରିନାହିଁ ଏବଂ ଏହାର ପ୍ରଭାବରେ ସ୍ବାସ୍ଥ୍ୟ ଓ ଅର୍ଥନୀତିରେ ମଧ୍ୟ ବିଶେଷ କ୍ଷତି ହୋଇନାହିଁ।
ବିଶ୍ବ ଅର୍ଥନୀତିରେ ମାନ୍ଦାବସ୍ଥା ଭଳି ସ୍ଥିତି ରହିଥିବା ବେଳେ ଭାରତରେ ମୁଦ୍ରାସ୍ଫୀତି ହାର ୬ ପ୍ରତିଶତରୁ କମ୍ ଥିବାରୁ ଭାରତକୁ ଅଧିକ ବିଦେଶୀ ପୁଞ୍ଜି ଆସିବ। ନିକଟରେ ବଡ଼ ବଡ଼ ପ୍ରଯୁକ୍ତି କଂପାନିରେ ହେଉଥିବା ବ୍ୟାପକ ଛଟେଇ ଯୋଗୁ ମାନ୍ଦାବସ୍ଥା ଭୟ ଆହୁରି ବଢ଼ିଯାଇଥିବା ରିପୋର୍ଟରେ କୁହାଯାଇଛି। ଏଥର ବଜେଟରେ ଓଡ଼ିଶାକୁ ପୂର୍ବଠାରୁ ଅଧିକ ଅନୁଦାନ ମିଳିବାର ଆଶା କରାଯାଉଛି । ବିଶେଷ କରି ରେଳ ବିଭାଗରେ ଅଧିକ ଅନୁଦାନ ମିଳିପାରେ।
Powered by Froala Editor