୧୧ ଦିନ ପରେ ଗାଜାରେ ଅସ୍ତ୍ରବିରତି ଘୋଷଣା, ଖୁସି ମନାଇଲେ ପାଲେଷ୍ଟାନୀୟ
ଗୁରୁବାର ବିଳମ୍ବିତ ରାତିରେ ଇସ୍ରାଏଲ୍ ଅସ୍ତ୍ରବିରତି ଘୋଷଣା କରିଛି। ନିରାପତ୍ତା କ୍ୟାବିନେଟ୍ ସହ ବୈଠକ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏହି ଅସ୍ତ୍ରବିରତି ଘୋଷଣା କରିଛି। ହମାସ୍ ସଙ୍ଗଠନ ନିର୍ବିବାଦରେ ଇଜିପ୍ଟର ମଧ୍ୟସ୍ଥମାନେ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି ବିବୃତିରେ ଉଲ୍ଲେଖ ଅଛି।
ଇସ୍ରାଏଲ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗାଜାରେ ୧୧ ଦିନ ହେଲା ଇସ୍ରାଏଲ ଚଳାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସୁରକ୍ଷା କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ହମାସର ଜଣେ ଅଧିକାରୀ ମଧ୍ୟ ଏହି ସୂଚନାକୁ ନିଶ୍ଚିତ କରିଛନ୍ତି। ଉଭୟ ଦେଶ ଅସ୍ତ୍ରବିରତିକୁ ଅନୁମତି ଦେଇଥିବାରୁ କେହି କାହା ଉପରେ ଆକ୍ରମଣ କରିବେ ନାହିଁ। ଶୁକ୍ରବାର ଭୋର ୨ଟାରୁ ଏହି ଅସ୍ତ୍ରବିରତି ଚୁକ୍ତି କାର୍ଯ୍ୟକାରୀ ହୋଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିବାଦର ସମାଧାନ ପାଇଁ ଇଜିପ୍ଟ ମଧ୍ୟସ୍ଥି ଭାବେ କାମ କରିଥିଲା। ଇଜିପ୍ଟ ମଧ୍ୟସ୍ଥିମାନେ ଇସ୍ରାଏଲକୁ ବୁଝାଇବା ସହ ଅସ୍ତ୍ର ବିରତିରେ ରାଜି ହେବାକୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ ଗ୍ରହଣ କରିଛି। ‘ମିଲିଟାରି ଚିଫ୍ ଅଫ୍ ଷ୍ଟାଫ୍’ ଏବଂ ଜାତୀୟ ନିରାପତ୍ତା ପରାମର୍ଶଦାତାଙ୍କ ସମେତ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଇଜିପ୍ଟର ପ୍ରସ୍ତାବ ଗ୍ରହଣ କରିବା ଲାଗି ସୁପାରିସ କରିଥିଲେ ବୋଲି ଉକ୍ତ ବିବୃତିରେ କୁହାଯାଇଛି।
ସେପଟେ, ଅସ୍ତ୍ରବିରତି ଘୋଷିତ ହେବା ପରେ ଗାଜା ସହରରେ ଲୋକେ ଉତ୍ସବମୁଖର ହୋଇ ଉଠିଛନ୍ତି। ହମାସ୍ର ବରିଷ୍ଠ ସଦସ୍ୟ ଖଲିଲ୍ ଅଲ୍-ହୟା କହିଛନ୍ତି ଯେ, ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣା ହେଉଛି ନେତାନ୍ୟାହୁଙ୍କର ପରାଜୟ, ପାଲେଷ୍ଟାଇନୀୟଙ୍କର ବିଜୟ।
ସମ୍ପ୍ରତି ଅସ୍ତ୍ରବିରତି ଉଲ୍ଲଂଘନ ହେବାର ଆଶଙ୍କା କରି ଉଭୟ ପକ୍ଷ ଜାଗତିଆର ହୋଇ ଅଛନ୍ତି। ଯେଉଁ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହେବ ତା’ର ପାଲଟା ଜବାବ ଦିଆଯିବ ବୋଲି ଉଭୟ ଦେଶ କହୁଛନ୍ତି। ଏହି ସଂଘର୍ଷ କାରଣରୁ ୬୫ଜଣ ପିଲା ଓ ୩୯ଜଣ ମହିଳାଙ୍କ ସମେତ ଅନ୍ୟୂନ ୨୩୦ଜଣ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି ଏବଂ ୧,୭୧୦ ଲୋକେ କ୍ଷତବିକ୍ଷତ ହୋଇଛନ୍ତି ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।
Powered by Froala Editor