ପେଟରେ ତଉଲିଆ ଛାଡ଼ିଦେଲେ ଡାକ୍ତର

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଆମରୋହା ସ୍ଥିତ ବାନ୍ସଖେରି ଗାଁର ଜଣେ ଡାକ୍ତର ନିଜ ନର୍ସିଂହୋମରେ ଜଣେ ମହିଳାଙ୍କ ଅପରେସନ ସମୟରେ ତାଙ୍କ ପେଟରେ ତଉଲିଆ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି । ପ୍ରସବ ଯନ୍ତ୍ରଣା ଯୋଗୁ ମହିଳା ଜଣକ ଉକ୍ତ ନର୍ସିଂହୋମରେ ଭର୍ତ୍ତି ହୋଇଥିଲେ । ଏ ପ୍ରକାର ତ୍ରୁଟି କରିଥିବା ଡ଼ାକ୍ତରଙ୍କ ବିରୋଧରେ ସିଏମଓ ରାଜୀବ ସିଂହଲ ଯାଞ୍ଚ ଆଦେଶ ଦେଇଛନ୍ତି ।
ସିଏମଓଙ୍କ କହିବା ଅନୁସାରେ, ସାଇଫି ନର୍ସିଂହୋମରେ କାର୍ଯ୍ୟରତ ମତଲୁବ ନାମକ ଡାକ୍ତର ନଜରାନା ନାମ୍ନୀ ମହିଳାଙ୍କ ଅପରେସନ ସମୟରେ ଏଭଳି କାଣ୍ଡ କରିଥିଲେ । ଆମରୋହା ସ୍ତିତ ନଉଗାୱାନା ସଦର ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ଏହି ନର୍ସିଂହୋମକୁ ସେ ବିନା ଅନୁମତିରେ ଚଳାଉଥିଲେ । ଅପରେସନ ପରେ ସଜରାନା ଯେତେବେଳେ ପେଟ ଯନ୍ତ୍ରଣା ବିଷୟରେ ଅଭିଯୋଗ କଲେ, ଡ଼.ମତଲୁବ ତାଙ୍କୁ ଆଉ ପାଞ୍ଚଦିନ ସେଠାରେ ରଖିଲେ । ଏବଂ ମିଛ କହିଲେ ଯେ, ବାହାରେ ଥଣ୍ଡା ହେଉଥିବାରୁ ତାଙ୍କ ପେଟରେ ଯନ୍ତ୍ରଣା ହେଉଛି । ଘରକୁ ଫେରିବା ପରେ ମଧ୍ୟ ତାଙ୍କ ପେଟର ଯନ୍ତ୍ରଣା ନକମିବାରୁ ତାଙ୍କ ସ୍ୱାମୀଙ୍କ ସହ ଅନ୍ୟ ଏକ ଡ଼ାକ୍ତରଖାନାକୁ ଯାଇଥିଲେ । ସେଠାରେ ତାଙ୍କର ପେଟ ଯନ୍ତ୍ରଣାର କାରଣ ଜଣାପଡ଼ିଲା ଏବଂ ଆଉ ଏକ ଅପରେସନ ଦ୍ୱାରା ତାଙ୍କ ପେଟରୁ ତଉଲିଆ ବାହାର କରାଗଲା । ଏହି ଘଟଣା ପରେ ଘରୋଇ ଡ଼ା.ମତଲୁବଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିମନ୍ତେ ସିଏମଓଙ୍କ ନିକଟରେ ଅଭିଯୋଗ କରାଯାଇଛି ।
Powered by Froala Editor