ଲୁହା ରଡ୍ରେ ସ୍ତ୍ରୀ ତଣ୍ଟି ଚିପି ମାରିଦେଲା, ତାପରେ ନୂଆବର୍ଷ ପାଳିଲା ସ୍ୱାମୀ

ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ବାମୀ ଜିରୋ ନାଇଟ ପାଳନ କରିଥିଲା ସ୍ୱାମୀ । କାହାକୁ କାଳେ ସନ୍ଦେହ ହୋଇଯିବ ସେଥିପାଇଁ ପୂରା ପ୍ଲାନିଂର ସହ କାମ କରୁଥିଲା । ହେଲେ ସତ ବେଶୀ ସମୟ ଲୁଚି ରହିଲାନି । ଗଞ୍ଜାମ ଜିଲା ରମ୍ଭା ଅଞ୍ଚଳରେ ନୂଆବର୍ଷରେ ଏ ଅଭାବନୀୟ ଘଟଣା ଘଟିଛି। ହୁମା ଫାଣ୍ଡି ପୋଲିସ ଅଭିଯୁକ୍ତ ସ୍ବାମୀ ସିଏଚ୍ ଲକ୍ଷ୍ମଣ ରେଡ୍ଡୀଙ୍କୁ ଗିରଫ କରିଥିବା ବେଳେ ସ୍ତ୍ରୀ ଜାନକୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ମେଡିକାଲ ପଠାଇଛି।
୧୭ ବର୍ଷ ପୂର୍ବେ ମୟୂରପଦା ଗ୍ରାମର ଲକ୍ଷ୍ମଣ ବେଣୀଗୌରୀ ଗ୍ରାମର ରଘୁନାଥ ରେଡ୍ଡୀଙ୍କ ଝିଅ ଜାନକୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଲକ୍ଷ୍ମଣ ଜଣେ ଡ୍ରାଇଭର ଏବଂ ସେ ବାହାର ରାଜ୍ୟରେ ଗାଡ଼ି ଚଳାଉଥିଲେ। ବିବାହ ପରଠାରୁ ଅଧିକ ଯୌତୁକ ଦାବିରେ ସ୍ତ୍ରୀ ଜାନକୀଙ୍କୁ ଲକ୍ଷ୍ମଣ ପ୍ରାୟ ସମୟରେ ମାରଧର କରୁଥିବା ଗ୍ରାମବାସୀ କହିଛନ୍ତି l ୮ଦିନ ହେବ ଲକ୍ଷ୍ମଣ ଗାଁକୁ ଆସିଥିଲା। ଶନିବାର ରାତିରେ ମଦ୍ୟପାନ କରି ଘରକୁ ଆସି ଜାନକୀଙ୍କ ସହ ଝଗଡ଼ା କରିଥିଲେ। ବାପା ମା'ଙ୍କ ଝଗଡା ଦେଖି ଝିଅ ଜୟନ୍ତୀ( ୧୪ ବର୍ଷ )ଓ ପୁଅ ନରସିଂହ (୯ବର୍ଷ )ସେହି ଗ୍ରାମ ନିଜ ପିଉସୀ ଘରକୁ ଶୋଇବାକୁ ଚାଲି ଯାଇଥିଲେ। ଫଳରେ ଜାନକୀ ଏକା ଘରେ ଶୋଇଥିଲେ। ସ୍ତ୍ରୀ ଶୋଇ ପଡ଼ିବା ପରେ ଏକ ଲୁହାରଡ୍ରେ ବେକକୁ ମାଡ଼ି ବସି ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ହତ୍ୟା କରିବା ପରେ ଗାଁ ପିଲାଙ୍କ ସହ ଜିରୋ ନାଇଟ୍ ପାଳନ କରିଥିଲେ ଲକ୍ଷ୍ମଣ। ନିଶା ଛାଡ଼ିବା ପରେ ଭୋର୍ରୁ ଘରକୁ ଯାଇ ଲକ୍ଷ୍ମଣ ଓ ତାଙ୍କ ମା' ମିଶି ଏକ ଅଟୋରେ ଜାନକୀଙ୍କୁ ଛତ୍ରପୁର ମେଡିକାଲ ନେଇଥିଲେ। ଡାକ୍ତର ପୂର୍ବରୁ ମରି ଯାଇଥିବା ଜାନକୀଙ୍କୁ ଦେଖି ସଙ୍ଗେ ସଙ୍ଗେ ହୁମା ଫାଣ୍ଡି ପୋଲିସକୁ ଜଣାଇଥିଲେ।
Powered by Froala Editor