ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏବଂ ଦିଲ୍ଲୀ ଭାଜପାର ପ୍ରଥମ ସଭାପତି ପ୍ରଫେସର ବିଜୟ କୁମାର ମାଲହୋତ୍ରାଙ୍କର ପରଲୋକ ଘଟିଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୯୩ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ବର୍ତ୍ତମାନର ଦିଲ୍ଲୀ ଭାଜପା ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବ ଏବଂ ଅନ୍ୟାନ୍ୟ ନେତାମାନେ ଶୋକ ପ୍ରକାଶ କରିଛନ୍ତି।
ମାଲହୋତ୍ରା, ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ସହିତ ଆରଏସଏସ ଛାଡି ଜନସଂଘ ମାଧ୍ୟମରେ ରାଜନୀତିରେ ପ୍ରବେଶ କରିଥିଲେ। ଜନସଂଘ ସମୟରେ ଦିଲ୍ଲୀରେ ଆରଏସଏସ ବିଚାରଧାରାକୁ ବିସ୍ତାର କରିବା ପାଇଁ ମାଲହୋତ୍ରା ବ୍ୟାପକ ଭାବରେ କାର୍ଯ୍ୟ କରିଥିଲେ।
୧୯୩୧ ମସିହା ଡିସେମ୍ବର ୩ରେ ପଞ୍ଜାବ ପ୍ରଦେଶର ଲାହୋରରେ ଜନ୍ମଗ୍ରହଣ କରିଥିଲେ ବିଜୟ ମଲହୋତ୍ରା । ଯାହା ବର୍ତ୍ତମାନ ପାକିସ୍ତାନର ଅଂଶ । ସେ କବିରାଜ ଖଜାନ ଚାନ୍ଦଙ୍କ ସାତ ସନ୍ତାନଙ୍କ ମଧ୍ୟରୁ ଚତୁର୍ଥ ଥିଲେ । ୧୯୪୭ ମସିହା ଦେଶ ବିଭାଜନ ସମୟରେ ତାଙ୍କ ପରିବାର ଦିଲ୍ଲୀ ଚାଲିଆସିଥିଲେ । ଯେଉଁଠାରେ ରହି ସେ ତାଙ୍କର ଶିକ୍ଷା ଏବଂ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ବିଜୟ ୧୯୯୯ ସାଧାରଣ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ୩୦ହଜାର ଭୋଟରେ ପରାସ୍ତ କରିଥିଲେ । ସେ ବିଜେପିର ଦିଲ୍ଲୀ ୟୁନିଟର ସଭାପତି ମଧ୍ୟ ଥିଲେ।
ମାଲହୋତ୍ରା ଗତ ୪୫ ବର୍ଷ ମଧ୍ୟରେ ଦିଲ୍ଲୀରୁ ପାଞ୍ଚଥର ଏମ୍ପି ଏବଂ ଦୁଇଥର ବିଧାୟକ ରହିସାରିଛନ୍ତି। ୨୦୦୪ ସାଧାରଣ ନିର୍ବାଚନରେ, ମାଲହୋତ୍ରା ଦିଲ୍ଲୀରେ ତାଙ୍କ ଆସନ ଜିତିଥିବା ଏକମାତ୍ର ଭାଜପା ପ୍ରାର୍ଥୀ ଥିଲେ।
Powered by Froala Editor