ମଣ୍ଡି ବ୍ୟବସ୍ଥାରେ କେଉଁଠି ବି ବିଭ୍ରାଟ ନାହିଁ : ଅତନୁ

ଭୁବନେଶ୍ବର: ମଣ୍ଡି ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ଉପରେ ବିଜେପି ବର୍ଷିଛି। ଏଣେ ଏନେଇ ବିଜେପିର ଅଭିଯୋଗ ଉପରେ ଜବାବ ରଖିଛି।
ମଣ୍ଡି ଅବ୍ୟବସ୍ଥା ନେଇ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୨୪ ହଜାର ଚାଷୀଙ୍କୁ ୧୧୦୪ କୋଟି ଟଙ୍କା ଦିଆଯାଇଛି। ପଶ୍ଚିମ ଓଡ଼ିଶାରେ ମଣ୍ଡି ଖୋଲିସାରିଛି। ଡିଏଲପିସି ଯେଉଁଠି ଯେବେ ନିଷ୍ପତ୍ତି ନେବ ସେଇ ଅନୁସାରେ ମଣ୍ଡି ଖୋଲେ। ମଣ୍ଡି ବ୍ୟବସ୍ଥାରେ କେଉଁଠି ବି ବିଭ୍ରାଟ ନାହିଁ। ସେମାନେ ଯଦି ମଣ୍ଡି ବୁଲିବାକୁ ଯାଉଛନ୍ତି, ଯାଆନ୍ତୁ କିଛି ସମସ୍ୟା ନାହିଁ। ଏମଏସପି ପ୍ରସଙ୍ଗରେ କାହିଁକି ସ୍ୱାମୀ ନାଥନ କମିଟି ରିପୋର୍ଟ ଆଧାରରେ ଦର ଧାର୍ୟ୍ୟ କରୁ ନାହାନ୍ତି କେନ୍ଦ୍ର ସରକାର ବୋଲି ପାଲଟା ପ୍ରଶ୍ନ କରି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ।
ବିଜେପି ପକ୍ଷରୁ କୁହାଯାଇଛି, ରାଜ୍ୟ ସରକାର ଚାଷୀମାରଣ ଯଜ୍ଞ କରୁଛନ୍ତି। ତଳୁ ମୁଖ୍ୟମନ୍ତ୍ରୀ ଦପ୍ତର ପର୍ୟ୍ୟନ୍ତ ମିଲରମାନଙ୍କ ଲିଙ୍କ ରହିଛି। ଏମଏସପି ରେଟ ଚାଷୀଙ୍କୁ ମିଳୁନି। ଏନେଇ ଆନ୍ଦୋଳନ କରିବ ଦଳ। ଆସନ୍ତା ୨୧ ତାରିଖରେ ରାଜ୍ୟର ୫୮ଟି ଉପ ଜିଲ୍ଲାପାଳ ଅଫିସରେ ଦଳ ଦାବିପତ୍ର ଦେବ। ୨୨ରୁ ୨୮ ତାରିଖ ଯାଏଁ ମଣ୍ଡି ଚାଲ ଅଭିଯାନ କରିବ ବିଜେପି। ଦଳୀୟ କର୍ମୀ ମଣ୍ଡିକୁ ଯାଇ ପ୍ରଶ୍ନ କରିବେ। ଦାବି ପୂରଣ ନହେଲେ ଜାନୁଆରିରେ ବଡ଼ ଧରଣର ଆନ୍ଦୋଳନ ହେବ।
ବିଜେପି ପକ୍ଷରୁ ଆହୁରି କୁହାଯାଇଛି ଯେ ୧୫ ଦିନ ବିଳମ୍ୱ ରେ ପଶ୍ଚିମ ଓଡ଼ିଶା ମଣ୍ଡି ଖୋଲିଲା। ଅନ୍ୟ ସ୍ଥାନରେ ମାସେ ବିଳମ୍ୱରେ ଖୋଲିବ।ମିଲରଙ୍କ ଦ୍ୱାରା ବନ୍ଧା ପଡ଼ିଛନ୍ତି। ଏଥିରେ ବ୍ୟାପକ ଲାଞ୍ଚ କରବାର ହୋଇଛି। ପଶ୍ଚିମ ଓଡ଼ିଶା ମଣ୍ଡି ବିଳମ୍ବ ଖୋଲିଲା ଦ୍ୱାରା ଛତିଶଗଡ଼କୁ ଧାନ ଯାଉଥିବାବେଳେ ଅନ୍ୟ ସ୍ଥାନର ଧାନ ଆନ୍ଧ୍ରପ୍ରଦେଶ ଯାଉଛି। ସେଣ୍ଟ୍ରାଲ ଟୋକନ ବ୍ୟବସ୍ଥା ଏକ ଭ୍ରଷ୍ଟାଚାର ବ୍ୟବସ୍ଥା। ଏହାକୁ ବନ୍ଦ କରିବା ଦରକାର। ଅଭାବୀ ଧାନ ବିକ୍ରି ହେଉଛି ଓ ଧାନ ସଂଗ୍ରହରେ ଦଲାଲି ଚାଲିଛି। ଏମଏସପି ପାଇବା ପାଇଁ ପ୍ରତି ବ୍ଲକରେ ଅଭିଯୋଗ ପ୍ରକୋଷ୍ଠ ଖୋଲନ୍ତୁ।
Powered by Froala Editor