ସିକ୍କିମରେ ଭୂକମ୍ପ : ଥରିଲା ବିହାର, ଆସାମ ଓ ପଶ୍ଚମବଙ୍ଗ

ବିହାର, ପଶ୍ଚିମବଙ୍ଗ ଏବଂ ଆସାମ ସମେତ ଦେଶର ବିଭିନ୍ନ ରାଜ୍ୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ବିହାରର ପାଟନା, କିସନଗଞ୍ଜ, ସପୌଲ ଏବଂ କଟିହାରରେ ଭୂକମ୍ପ ଅନୁଭୂତ ହୋଇଛି । ଭାରତ-ଭୁଟାନ ସୀମାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ବୋଲି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରହିଛି । ଏହି ଭୂମିକମ୍ପର ପ୍ରଭାବ ଆସାମ, ଉତ୍ତର-ପଶ୍ଚିମବଙ୍ଗ ଓ ବିହାରରେ ଅନୁଭୂତ ହୋଇଥିବା ଜଣାପଡ଼ିଛି । ଭୂମିକମ୍ପ ଫଳରେ ସିକ୍କିମ ଓ ପଶ୍ଚିମବଙ୍ଗ ଦାର୍ଜିଲିଂ ଅଞ୍ଚଳରେ କେତେକ ଘର ଭାଙ୍ଗିଯାଇଥିବା ଖବର ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତାହତଙ୍କର କୌଣସି ସୂଚନା ମିଳିନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କ୍ଷୟକ୍ଷତିର ସମୀକ୍ଷା କରିବା ସହ ପ୍ରଭାବିତ ରାଜ୍ୟ ସିକ୍କିମ, ବିହାର, ଆସାମ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି । ଏହା ପୂର୍ବରୁ ଫେବୃଆରୀ ୧୫ ତାରିଖରେ ବିହାରର ପାଟନାରେ ୩.୫ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା ।