ରଶ୍ମିକାଙ୍କ ବଡ଼ ଖୁଲାସା: କହିଲେ, ଫିଲ୍ମ ସେଟ୍କୁ ବାଦ୍ଦେଲେ ମୁଁ କେବେ ଅଭିନୟ କରେନି
ନୂଆଦିଲ୍ଲୀ: ରଶ୍ମକା ମନ୍ଦନା । ଏହି ନାମ ହିଁ ତାଙ୍କ ପାଇଁ ଯଥେଷ୍ଟ । ଭାରତର କୋଣ ଅନୁକୋଣରେ ପିଲାଠୁ ବୁଢ଼ା ସମେସ୍ତ ତାଙ୍କୁ ଜାଣନ୍ତି । ଘରେ ଘରେ ଏବେ ସେ ପରିଚିତ ଚେହେରା । ଯୁବପିଢ଼ିଙ୍କ ଲାଗି ହୃଦୟର ରାଣୀ । ପୁଷ୍ପା ଫିଲ୍ମ ପରେ ରାତାରାତ ତାଙ୍କୁ ମିଳିଛି ଷ୍ଟାର ସମ୍ମାନ । ଆଉ ରଶ୍ମିକା ବି କେବେ ହେଲେ ତାଙ୍କ ଫ୍ୟାନ୍ଙ୍କୁ ନିରାଶ କରିନାହାନ୍ତି । ସବୁବେଳେ କିଛି ନୂଆ ଭେଟି ଦେବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି । କ୍ୟାମେରା ଦେଖିବା ମାତ୍ରେ ରଶ୍ମିକାଙ୍କ ମୁହଁରେ ଫୁଟି ଆସେ ହସ ହସ ଚେହେରା । ସବୁବେଳେ ସେ ଖୁସି ମିଜାଜ୍ ଥିବା ଭଳି ଲାଗନ୍ତି । ଯେମିତି ଦୁଃଖ ତାଙ୍କୁ କେବେ ସ୍ପର୍ଶ କରିନି ସେଭଳି ହୃଦୟଙ୍ଗମ ହୁଏ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ରଶ୍ମିକା କ’ଣ ବାସ୍ତବରେ ଏମିତି, ନା କ୍ୟାମେରା ସମ୍ମୁଖକୁ ଆସିଲେ ସେ ଏଭଳି ଅଭିନୟ କରନ୍ତି ବୋଲି ଅନେକ ପ୍ରଶ୍ନ କରୁଥିଲେ । ନିକଟରେ ଏକ ଗଣମାଧ୍ୟମ ପକ୍ଷରୁ ରଶ୍ମିକାକୁ ଏ ବାବଦରେ ପ୍ରଶ୍ନ ପଚରା ଯାଇଥିଲା । ଆଉ ରଶ୍ମିକା ବି ଖୁଲମଖୁଲା ଏହାର ଉତ୍ତର ରଖିଥିଲେ ।
ସେ କହିଥିଲେ, ଏହା ହିଁ ମୋ ବ୍ୟକ୍ତିତ୍ୱ । ମୁଁ ମିଛ ପ୍ରଦର୍ଶନ କରିପାରେ ନାହିଁ । କାରଣ ଲୋକେ ଜାଣିପାରିବେ ଯେ ମୁଁ ଏ ସବୁ ହସ ଖୁସି କେବଳ କ୍ୟାମେରା ସାମ୍ନାରେ କରୁଛି । ଫିଲ୍ମ ସେଟ୍କୁ ବାଦ୍ଦେଲେ ମୁଁ କେବେ ଅଭିନୟ କରେ ନାହିଁ । ସେ ଭଳି ଚରିତ୍ର ମୁଁ ନୁହେଁ । ମୁଁ ଯାହା ହେଲେ ବି ଲୋକେ ମୋତେ ପସନ୍ଦ କରୁଛନ୍ତି, ସେଥିପାଇଁ ମୁଁ କୃତଜ୍ଞ । 'ପୁଷ୍ପା' ଫିଲ୍ମ ପାଇଁ ବିପୁଳ ଖ୍ୟାତି ପାଇଥିବା ରଶ୍ମିକା 'ପୁଷ୍ପା-୨'ର ସୁଟିଂ ଆରମ୍ଭ କରିଥିବା ନିକଟରେ ଏକ ଗଣମାଧ୍ୟମକୁ କହିଥିଲେ । ଫିଲ୍ମର ପ୍ରଥମ ଭାଗର ସୁଟିଂ ସମୟରେ ସେ ଖୁବ୍ ନର୍ଭସ୍ ଥିଲେ । କିନ୍ତୁ ୨ୟ ଭାଗକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ସେ କହିଛନ୍ତି, ଲୋକେ ଶ୍ରୀବଲ୍ଲି ଓ ପୁଷ୍ପ ରାଜକୁ ବହୁତ ଭଲପାଇଛନ୍ତି । ପୁଣି ଥରେ ଭଲପାଇବେ ବୋଲି ସେ ଆଶାବାଦୀ ।
Powered by Froala Editor