କାର୍ରେ ବସିବା ମାତ୍ରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ କ୍ରେନ୍ ଲଗାଇ ଭିଡ଼ିନେଲା ପୋଲିସ
ହାଇଦ୍ରାବାଦ ରାଜରାସ୍ତାରେ ଅଭାବନୀୟ ଘଟଣା ଘଟିଛି । ଯେଉଁଥିରେ ପୋଲିସ ତେଲେଙ୍ଗାନା ନେତ୍ରୀ ୱାଇଏସ୍ ଶର୍ମିଲାଙ୍କ କାରକୁ କ୍ରେନରେ ଭିଡି ନେଉଥିବାର ଦେଖାଯାଉଛି। ପୋଲିସ କ୍ରେନରେ କାରକୁ ଭିଡି ନେଉଥିବା ବେଳେ ସେଥିରେ ୱାଇଏସ୍ ଶର୍ମିଲା ବସିଥିଲେ। ତେଲେଙ୍ଗାନା ରାଜନୀତିରେ ସକ୍ରିୟ ଶର୍ମିଲା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡିଙ୍କ ଭଉଣୀ।
ଶର୍ମିଲାଙ୍କ ୱାଇଏସ୍ଆର ତେଲେଙ୍ଗାନା ପାର୍ଟି ପକ୍ଷରୁ କ୍ଷମତାସୀନ କେ ଚନ୍ଦ୍ରଶେଖର ରାଓଙ୍କ ସରକାର ବିରୋଧରେ ପଦଯାତ୍ରା ଆରମ୍ଭ କରାଯାଇଛି। ଏହି ଯଦଯାତ୍ରା ବେଳେ ଗତକାଲି ୱାରଙ୍ଗଲରେ ଶର୍ମିଲାଙ୍କ ସମର୍ଥକ ଓ କେସିଆରଙ୍କ ଟିଆରଏସ୍ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିପାଇଁ ପୁଲିସ୍ ଶର୍ମିଲାଙ୍କୁ ଅଟକ ରଖିଥିଲା।
ଆଜି ସକାଳେ ସେ ପୁଣିଥରେ ଦଳ ପକ୍ଷରୁ ଆୟୋଜିତ ବିକ୍ଷୋଭ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସରକାରୀ ଘର ପ୍ରଗତି ଭବନ ଅଭିମୁଖେ ଯିବାର ଥିଲା। ତେବେ ଶର୍ମିଳା ପଦଯାତ୍ରାର ନେତୃତ୍ୱ ନେବା ଲାଗି ନିଜ କାରରେ ବସିବାମାତ୍ରେ ପୋଲିସ କ୍ରେନଲଗାଇ ତାଙ୍କ ସହ କାରକୁ ଘୋଷାଡି ନେଇଥିଲା।
ଶର୍ମିଳାଙ୍କ ସହ ଏପରି ଘଟଣାକୁ ତାଙ୍କ ସମର୍ଥକମାନେ ବିରୋଧ କରିଛନ୍ତି। କ୍ରେନ ଲଗାଇ ପୁଲିସ୍ ତାଙ୍କ ଗାଡ଼ି ଆଗକୁ ନେଉଥିବା ବେଳେ ତାଙ୍କ ସମର୍ଥକମାନେ ପଛେପଛରେ ଦୌଡ଼ୁଥିବାରୁ ଦୃଶ୍ୟ ସାମ୍ନାକୁ ଆସିଛି।
Powered by Froala Editor