ମୁସଲମାନ ଛାତ୍ରଙ୍କୁ କସାବ ପରି କହି ପ୍ରଫେସର ନିଲମ୍ବିତ
ମୁସଲମାନ ଛାତ୍ରଙ୍କୁ ଆତଙ୍କବାଦୀ ସହ ତୁଳନା କରି ଫସିଲେ ପ୍ରଫେସର। ପ୍ରଫେସରଙ୍କୁ କଲେଜରୁ ନିଲମ୍ବିତ କରାଯାଇଛି। ବେଙ୍ଗାଲୁରୁର ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି(ଏମଆଇଟି)ରେ ଏହି ଘଟଣା ଘଟିଛି।
ଗତ ସପ୍ତାହରେ କର୍ଣ୍ଣାଟକର ଜଣେ କଲେଜ ପ୍ରଫେସର ମୁସଲମାନ ଛାତ୍ରଙ୍କୁ ଆତଙ୍କବାଦୀଙ୍କ ନାଁ ନେଇ ତୁଳନା କରିଥିଲେ। ଏହା ସହ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ଛାତ୍ରଜଣକ ପ୍ରଫେସରଙ୍କୁ ଜବାବ ଦେଉଥିବା ଦେଖିବାକୁ ମିଳିଛି।ତାଙ୍କର ଏହି ଭୁଲ ପାଇଁ ଏବେ ତାଙ୍କୁ ନିଲମ୍ବିତ କରାଯାଇଛି।
ଗତ ନଭେମ୍ବର ୨୬ରେ ଏହି ଘଟଣା ଘଟିଛି। ପ୍ରଫେସରଜଣକ ଛାତ୍ରଙ୍କୁ ତାଙ୍କ ନାଁ ପଚାରିଥିଲେ ଏବଂ ଛାତ୍ରଜଣକ ନାଁ କହିବା ପରେ ମୁସଲମାନ ବୋଲି ଶୁଣି ତାଙ୍କୁ ପରିହାସ କରିଥିଲେ। ପ୍ରଫେସର କହିଥିଲେ, “ଓ, ତୁମେ କସାବ ପରି!”। ଭିଡିଓରେ ଛାତ୍ର ଜଣକ ପ୍ରଫେସରଙ୍କ ସହ ମୁହାଁମୁହିଁ ହେଉଥିବା ଦେଖିବାକୁ ମଳିଛି। ଛାତ୍ର ଜଣଙ୍କୁ ପ୍ରଫେସର ଆତଙ୍କବାଦୀ କହିବା ପରେ ସେ ପ୍ରତିବାଦ କରିଥିଲେ। ଜଣେ ମୁସଲମାନ ହୋଇଥିବାରୁ ମୋତେ ବାରମ୍ବାର ଏମିତି ଅପମାନିତ କରାଯାଉଛି। ଛାତ୍ର ଜଣକ ଏମିତି କହି ପ୍ରତିବାଦ କରୁଛନ୍ତି। ଛାତ୍ର ଜଣକ ପ୍ରଫେସରଙ୍କୁ ପାଲଟା ପ୍ରଶ୍ନ କରିଥିଲେ। କହିଥିଲେ ଆପଣ କଣ ନିଜ ପିଲାଙ୍କୁ ଆତଙ୍କବାଦୀ କୁହନ୍ତି। ଯଦି ନୁହଁ ଏତେ ଲୋକଙ୍କ ସାମ୍ନାରେ ତୁମେ ମୋତେ କେମିତି କହି ପାରୁଛ?
ଏହା ହେଉଛି ଏକ ଶ୍ରେଣୀଗୃହ, ଆପଣ ଜଣେ ପ୍ରଫେସନାଲ ଏବଂ ତୁମେ ଶିକ୍ଷାଦାନ କରୁଛ। ଆପଣ ମୋତେ ଆତଙ୍କବାଦୀ କହିପାରିବେନି। ଭିଡିଓରେ ଶିକ୍ଷକ ଜଣକ ଛାତ୍ରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ତେବେ ଭିଡିଓ ଭାଇରାଲ ହେବା ପରେ ଏମଆଇଟି ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି।
Powered by Froala Editor