ପିପିଲିରୁ ଜବତ ହେଲା ୫୦ ଲକ୍ଷ : କେଉଁଠାରୁ ଆସୁଥିଲା ଟଙ୍କା, ଯାଞ୍ଚ କରୁଛି ପୋଲିସ

ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ନୀଳ ରଙ୍ଗର ପଲସର ସହ ୨ ସ୍ଥାନୀୟ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ । ନିୟମିତ ଯାଞ୍ଚ ବେଳେ ଟୋଲଗେଟ୍ ଚେକିଂ ପଏଣ୍ଟରେ ଅଟକ ବାଇକ ଆରୋହୀଙ୍କୁ ଅଟକାଇଥିଲା ପୋଲିସ । ସେମାନେ କିନ୍ତୁ ନିର୍ଦ୍ଦେଶ ମାନିନଥିଲେ । ପରେ ସେମାନଙ୍କୁ ପୋଲିସ ଗୋଡ଼ାଇ ଗୋଡ଼ାଇ ତାରକାଜ ଛକ ନିକଟରେ କାବୁ କରିଥିଲା । ଅଟକ ଦୁଇ ଜଣ ବଳଙ୍ଗା ଅଞ୍ଚଳର ବୋଲି ସୂଚନା ମିଳିଛି । ସେମାନେ ଏତେ ଟଙ୍କା କେଉଁଠୁ ଆଣିଲେ କାହାକୁ ଦେବା ପାଇଁ ନେଉଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ଏ ନେଇ ଖୋଳତାଡ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ପିପିଲି ଉପ-ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ୍ ସରଗରମ ହୋଇଉଠିଛି । ଅପ୍ରେଲ ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନ ଲାଗି ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇସାରିଛି । ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି । ୩ ପ୍ରମୁଖ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଶତ ପ୍ରତିଶତ ଚେଷ୍ଟା ଜାରି ରଖିଛନ୍ତି । ଏଣୁ ସହର ମଧ୍ୟକୁ ଯେଭଳି ବାହାରୁ ଟଙ୍କା ନଆସେ ଏ ନେଇ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ପୋଲିସ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ ଯାଞ୍ଚ କରୁଛି । ଏହି ସମୟରେ ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଛି ।