‘କଂଗ୍ରେସ ପ୍ରତିଜ୍ଞା ପତ୍ର’ ରେ ୧୦ ପ୍ରତିଶ୍ରୁତିର ଘୋଷଣା
ଶିମ୍ଲାସ୍ଥିତ ଦଳୀୟ ମୁଖ୍ୟାଳୟରେ କଂଗ୍ରେସ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ତା’ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛି। ଦଳର ନିର୍ବାଚନୀ ଇସ୍ତାହାରର ନାମ ‘କଂଗ୍ରେସ ପ୍ରତିଜ୍ଞା ପତ୍ର’ ରଖାଯାଇଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ଭାଗେଲ, ଏଆଇସିସି ଇନ୍ଚାର୍ଜ ରାଜୀବ ଶୁକ୍ଳା, ଦଳର ହିମାଚଳ ପ୍ରଦେଶ ସଭାପତି ପ୍ରତିଭା ସିଂହ, କଂଗ୍ରେସ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଶୁଖବିନ୍ଦର ସିଂହ ସୁଖୁ ଓ ନିର୍ବାଚନୀ ଇସ୍ତାହାର କମିଟି ଅଧ୍ୟକ୍ଷ ଧନୀ ରାମ ଶାଣ୍ଡିଲଙ୍କ ଉପସ୍ଥିତିରେ ‘କଂଗ୍ରେସ ପ୍ରତିଜ୍ଞା ପତ୍ର’ ଘୋଷଣା କରାଯାଇଛି।
ଏଥିରେ ପୁରାତନ ରାଜନୈତିକ ଦଳ କଂଗ୍ରେସ ଯୁବାଙ୍କ ପାଇଁ କର୍ମସଂସ୍ଥାନ ବ୍ୟବସ୍ଥା, ୩୦୦ ୟୁନିଟ୍ ମାଗଣା ବିଜୁଳି ଏବଂ ମହିଳାମାନଙ୍କୁ ମାସିକ ଅନୁକମ୍ପା ରାଶି ସମେତ ରାଜ୍ୟବାସୀଙ୍କୁ ‘୧୦ଟି ଗ୍ୟାରେଣ୍ଟି’ ପ୍ରତିଶ୍ରୁତି ଦେଇଛି।
ନିର୍ବାଚନୀ ଇସ୍ତାହାରରେ ଦଳ ବିଶେଷତଃ ଦର ବୃଦ୍ଧି, ବେକାରୀ ଓ ସରକାରୀ ଚାକିରିଆଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ତା’ର ସମାଧାନ କରାଯିବ ବୋଲି କହିଛି। ମହିଳା, ଯୁବବର୍ଗ, ସରକାରୀ ଚାକିରିଆ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ଆଶା ଓ ଆକାଂକ୍ଷାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି ବୋଲି ନିର୍ବାଚନୀ ଇସ୍ତାହାର କମିଟି ଅଧ୍ୟକ୍ଷ ଧନୀ ରାମ ଶାଣ୍ଡିଲ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶାଣ୍ଡିଲ୍ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଜନଜୀବନକୁ ଦୁର୍ବିଷହ କରିପକାଇଲାଣି। ଗତ ବିଧାନସଭା ନିର୍ବାଚନରେ ହିମାଚଳର ଜନସାଧରଣ ‘ବିଜେପି’କୁ ଭୋଟ୍ ଦେଲେ ଏବଂ ୫ ବର୍ଷ ପରେ ଠକି ଯାଇଛନ୍ତି ବୋଲି ଜନସାଧାରଣଙ୍କର ହୃଦ୍ବୋଧ ହୋଇଥିବା କଥା ସେ କହିଛନ୍ତି।
Powered by Froala Editor