ସମସ୍ତ ସରକାରୀ ଏବଂ ଘରୋଇ କୋଭିଡ୍ ହସ୍ପିଟାଲରେ ହେଲ୍ପ ଡେକ୍ସ ବାଧ୍ୟତାମୂଳକ
କୋଭିଡ୍-୧୯ର ନୂତନ ଷ୍ଟ୍ରେନ କମ ବୟସର ଲୋକଙ୍କୁ ସଂକ୍ରମଣ କରିବା ସହ ଶିଶୁମାନଙ୍କୁ ମଧ୍ୟ ଛାଡୁନି। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣରୁ ଶିଶୁଙ୍କୁ ରକ୍ଷା ପାଇଁ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି। ଏଥିସହ ୧୮ ରୁ ୪୪ ବର୍ଷ ବୟସ ବର୍ଗଙ୍କୁ କୋଭିଡ୍ ସୁରକ୍ଷା ଲାଗି କମିଟି ଗଠନ କରାଯାଇଛି।
ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଡିଏମଇଟିଙ୍କ ଅଧ୍ୟକ୍ଷତାରେ ୮ ଜଣିଆ କମିଟି ଗଠନ ହୋଇଛି। ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କମିଟିର ସଦସ୍ୟ ଆବାହକ ଅଛନ୍ତି। ଶିଶୁଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ବଢୁଥିବାରୁ କମିଟି ତର୍ଜମା କରିବ। ଡିଏଚଏସ ଓଡିଶାରୁ ଦୁଇ ଜଣ ସଦସ୍ୟ ରହିବେ। ଶିଶୁଙ୍କଠାରେ କରୋନାର କାରଣ ଓ ନିରାକରଣ ବୁଝିବ ଏହି କମିଟି।
ଏଥିସହ ୧୮ ରୁ ୪୪ ବର୍ଷ ବୟସ ବର୍ଗଙ୍କୁ କୋଭିଡ୍ ସୁରକ୍ଷା ଲାଗି ରାଜ୍ୟ ସରକାର ଗୁରୁତ୍ଵାରୋପ କରିଛନ୍ତି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ୧୨ ଜଣିଆ କମିଟି ଗଠନ ହୋଇଛି। ଏହି ବର୍ଗ ବ୍ୟକ୍ତିଙ୍କ ଟିକାକରଣ ତଦାରଖ କରିବ । ସ୍ଵାସ୍ଥ୍ୟ ବିଭାଗ ପରାମର୍ଶଦାତା ଶ୍ରୀନାଥ ରେଡ୍ଡୀ କମିଟିର ଅଧ୍ୟକ୍ଷ ଅଛନ୍ତି।
ଏହାବାଦ୍ ରାଜ୍ୟର ସମସ୍ତ ସରକାରୀ ଏବଂ ଘରୋଇ କୋଭିଡ୍ ହସ୍ପିଟାଲରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ କରାଯାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ହେଲ୍ପ ଡେକ୍ସ ମାଧ୍ୟମରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ସୂଚନା ଦିଆଯିବ। ହେଲ୍ପ ଡେକ୍ସ ୨୪ ଘଣ୍ଟିଆ କାମ କରିବ। ରାଜ୍ୟ ସରକାର ଲୋକଙ୍କ ପାଇଁ ହେଲ୍ପ ଡେକ୍ସ ଟୋଲ୍ ଫ୍ରି ନମ୍ବର ଜାରି କରିବେ। ଏପରିକି କୋଭିଡ୍ ହସ୍ପିଟାଲରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବ।
Powered by Froala Editor