ମୋତେ ମାରିବାକୁ ଷଡ଼ଯନ୍ତ୍ର କରାଯାଇଥିବା ନେଇ ମୋ ପାଖରେ ଖବର ଥିଲା:ଇମ୍ରାନ
ଲାହୋର: ଗୁଳିମାଡ଼ରେ ଆହତ ହୋଇ ଚିକିତ୍ସାଧୀନ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଡାକ୍ତରଖାନାରୁ ଏକ ଭିଡିଓ ଜାରି କରିଛନ୍ତି। ସେଥିରେ ସେ ଦାବି କରିଛନ୍ତି ଯେ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଥିବା ସେ ଜାଣିଥିଲେ।ଲାହୋରରେ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଇମ୍ରାନ କହିଛନ୍ତି, ମୋ ଉପରେ ଆକ୍ରମଣ ହେବା ପୂର୍ବ ଦିନ ହିଁ ମୁଁ ଜାଣିବାକୁ ପାଇଥିଲି ଯେ ମୋତେ ହତ୍ୟା କରିବାକୁ ଯୋଜନା କରାଯାଇଛି। ୱାଜିରାବାଦ ଅବା ଗୁଜରାଟରେ ମୋତେ ମାରିବାକୁ ଷଡ଼ଯନ୍ତ୍ର କରାଯାଇଥିବା ନେଇ ମୋ ପାଖରେ ଖବର ଥିଲା। ମୋ ଶରୀରରେ ୪ଟି ଗୁଳି ବାଜିଛି।
ଏହି ଘଟଣା ପାଇଁ ଇମ୍ରାନ ଖାନ୍ ଓ ତାଙ୍କ ଦଳ ୩ ଜଣଙ୍କ ଉପରେ ଦୋଷ ଲଦିଛନ୍ତି। ସେମାନେ ହେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ, ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରୀ ରାଣା ସାନାଉଲ୍ହା ଓ ଆଇଏସ୍ଆଇ ମୁଖ୍ୟ ଜେନେରାଲ ଫୈଜଲ ନାସୀର।
ଇମ୍ରାନ ଏବେ ବିପଦମୁକ୍ତ ଅଛନ୍ତି। ତେବେ ଗୁରୁବାର ହୋଇଥିବା ଏହି ଗୁଳିମାଡ଼ରେ ତାଙ୍କର ଜଣେ ସମର୍ଥକଙ୍କର ମୃତ୍ୟୁ ଘଟିଛି। ସେହିପରି ତାଙ୍କର ଆଉ ୧୩ ସମର୍ଥକ ଆହତ ହୋଇଛନ୍ତି। ଇମ୍ରାନଙ୍କ ଉପରେ ହୋଇଥିବା ଆକ୍ରମଣରେ ପାକିସ୍ତାନ ସରକାର ସଫେଇ ଦେଇଛନ୍ତି। ଏଥିରେ ସରକାରଙ୍କର କିଛି ଭୂମିକା ନାହିଁ ବୋଲି କୁହାଯାଇଛି। ତା’ ସହିତ ଘଟଣାର ନିରପେକ୍ଷ ତଦନ୍ତ କରାଯିବ ବୋଲି ସରକାର କହିଛନ୍ତି।
Powered by Froala Editor