୨୪ରେ ଲଘୁଚାପ
ଭୁବନେଶ୍ୱର : ରାଜ୍ୟରେ ଆଉ କାଳବୈଶାଖୀର ବିଶେଷ ସମ୍ଭାବନା ନାହିଁ । ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ପରେ ୪ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ।
ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ଚଳିତ ମାସ ଶେଷ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ସମ୍ଭବତଃ ଏହା ୨୪ ତାରିଖ ବେଳକୁ ଆଣ୍ଡାମାନସାଗରରେ ସୃଷ୍ଟି ହେବ ଏବଂ ଘନୀଭୂତ ହୋଇ ଅବପାତରେ ପରିଣତ ହେବାକୁ ପରିସ୍ଥିତି ଅନୁକୂଳ ରହିବ । ଆକଳନ କହୁଛି, ଏହା ମିଆଁମାର ଓ ବାଂଲାଦେଶ ଉପକୂଳରେ ଭୀଷଣ ବର୍ଷା କରାଇବ । ଓଡ଼ିଶାରେ ଏହାର କି ପ୍ରଭାବ ରହିବ, ତାହା ୨୨ ତାରିଖ ବେଳକୁ ଅଧିକ ସ୍ପଷ୍ଟ ହେବ । ଆହୁରି ମଧ୍ୟ ଜଣାପଡ଼ୁଛି, ଉତ୍ତର ଭାରତ ମହାସାଗରରେ ମୌସୁମୀ ବର୍ଷା ପାଇଁ ପାଗ ଅନୁଗୁଳ ହେବାରେ ଲାଗିଛି । ଚଳିତ ମାସ ଚତୁର୍ଥ ସପ୍ତାହରେ କେରଳରେ ଭାରି ବର୍ଷାର ସମ୍ଭାବନା ରହିଛି । ସମ୍ଭବତଃ ୨୭ ବା ୨୮ତାରିଖରେ କେରଳରେ ମୌସୁମୀ ଛୁଇଁବ ବୋଲି ଆକଳନ କରାଯାଇଛି ।
ଅପରପକ୍ଷରେ ଭୁବନେଶ୍ୱର ସମେତ ଉପକୂଳ ଅଞ୍ଚଳରେ ୧୭ତାରିଖଠାରୁ ସର୍ବାଧିକ ତାପମାତ୍ରା କ୍ରମଶଃ ବଢ଼ିବା ବେଳେ କାଳବୈଶାଖୀର ସମ୍ଭାବନା କମିବ । ୧୮ରୁ ୨୩ ତାରିଖ ମଧ୍ୟରେ ୪ ଡିଗ୍ରିରୁ ଅଧିକ ବଢ଼ିପାରେ । ବର୍ତ୍ତମାନ ବାୟୁ ଦକ୍ଷିଣ ଦିଗରୁ ବହୁଛି ସାମୁଦ୍ରିକ ପବନ । ଆକଳନ କରାଯାଉଛି ଯେ ୧୭ ପରେ ପଶ୍ଚିମା ପବନ ପୁଣି ଫେରିବ । ଉଭୟ ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୧୮ରୁ ୨୨ତାରିଖ ଭିତରେ ଦିନ ବେଳା ସାମୟିକ ମେଘୁଆ ହେତୁ ସର୍ବାଧିକ ତାପମାତ୍ରା ଉପକୂଳ ଅପେକ୍ଷା କମ ବଢ଼ିବ । ଏହା ସହ ୧୮ରୁ ୨୨ତାରିଖ ଭିତରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି ।
Powered by Froala Editor