୭୦ ବର୍ଷରେ ସିଭିଲ ଡିପ୍ଲୋମା ଟପ୍ପର
ବୟସ ୭୦ । ଏ ବୟସରେ ଲୋକେ ଅବସର ଜୀବନ କାଟନ୍ତି । କିନ୍ତୁ ଜଣେ ୭୦ ବର୍ଷୀୟ ବୃଦ୍ଧ ଡିପ୍ଲୋମା ସିଭିଲ ପରୀକ୍ଷାରେ ଟପ୍ପର ହୋଇଛନ୍ତି । ବୃଦ୍ଧଙ୍କ ନାମ ହେଉଛି ନାରାୟଣ ଏସ ଭଟ୍ଟ। କିନ୍ତୁ ବୟସ ଅଧିକ ହୋଇଥିବାରୁ ତାଙ୍କୁ ଅନେକ ପୋଲିଟେକ୍ନିକ ଇନଷ୍ଟିଚ୍ୟୁଟ୍ ଅର୍ଥାତ ଇଞ୍ଜିନିୟରିଂ କଲେଜ୍ଗୁଡିକ ନାମ ଲେଖାଇବାକୁ ଅନୁମତି ଦେଇନଥିଲେ। ଶେଷରେ ତାଙ୍କୁ ଉତ୍ତର କନ୍ନଡର ଶିରସି ଆରଏନ ସେଟ୍ଟି ପୋଲିଟେକ୍ନିକ କଲେଜ୍ରେ ନାମ ଲେଖାଇବାକୁ ସୁଯୋଗ ମିଳିଛି। ଏବେ ସେ ପିଲାଙ୍କ ସହ କ୍ଲାସ୍ କରୁଛନ୍ତି, ଯାହାଙ୍କର ବୟସ ହାରାହାରି ୧୭ ବର୍ଷ ରହିଛି। ଅର୍ଥାତ ନାରାୟଣ ନିଜ ନାତିଙ୍କ ବୟସର ପିଲାଙ୍କ ସହ ପାଠ ପଢୁଛନ୍ତି।
ନାରାୟଣ ସିଭିଲ ଇଞ୍ଜିନିୟରିଂ ଏବଂ ଏହା ସମ୍ବନ୍ଧିତ ବୈଷେୟିକ କ୍ଷେତ୍ରର ଘରୋଇ କମ୍ପାନିରେ କାମ କରିଛନ୍ତି। ନିଜର ଚାକିରି ଜୀବନର ଅଧିକାଂଶ ସମୟ ସେ ଗୁଜରାଟ ଏବଂ କର୍ଣ୍ଣାଟକରେ କଟାଇଛନ୍ତି। ଶେଷରେ ନିଜ ସହର ଶିରସି ଫେରିଛନ୍ତି। ହେଲେ ସିଭିଲ ଇଞ୍ଜିନିୟରିଂରେ ଜ୍ଞାନ ଆହରଣ କରିବାର କ୍ଷୁଧା ତାଙ୍କ ମନରୁ ମେଣ୍ଟିନଥିଲା। ସେହି ସମୟରେ ତାଙ୍କର ବୟସ ଥିଲା ୬୬ ବର୍ଷ। ବୟସ ସୀମା ଅତିକ୍ରମ କରି ସାରିଥିବାରୁ ଅନେକ ଇଞ୍ଜିନିୟରିଂ କଲେଜ୍ ନାମ ଲେଖାଇବାକୁ ଅନୁମତି ଦେଇନଥିଲେ। ତେବେ ୨୦୨୨ ସିଭିଲ ଡିପ୍ଲୋମା ପରୀକ୍ଷାରେ ନିଜର ଅଧ୍ୟବସାୟ ବଳରେ ଟପ୍ପର ହୋଇଥିଲେ।
Powered by Froala Editor