କଂଗ୍ରେସ ମଙ୍ଗ ଧରିଲେ ମଲ୍ଲିକାର୍ଜୁନ ଖଡ଼ଗେ
କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ । କଂଗ୍ରେସ ସଭାପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଖଡ଼ଗେ।୨୪ ବର୍ଷ ପରେ କଂଗ୍ରେସକୁ ଅଣ ଗାନ୍ଧୀ ଅଧ୍ୟକ୍ଷ ମିଳିଛି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଜିତିବା ପରେ ଆଜି ଦିଧିବଦ୍ଧଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଖଡ଼ଗେ । ଏନେଇ ଦିଲ୍ଲୀ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅଫିସର ସବୁ ବରିଷ୍ଠ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷା ଦାୟିତ୍ୱ ସମ୍ଭାଳିଥିବା ସୋନିଆ ଗାନ୍ଧୀ ଖଡ଼ଗେଙ୍କୁ ଇଲେକ୍ସନ ସାର୍ଟିଫିକେଟ୍ ହସ୍ତାନ୍ତର କରିଛନ୍ତି। ଏଥିସହ ନୂଆ କଂଗ୍ରେସ ଅଧ୍ୟକ୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ମଲ୍ଲିକାର୍ଜୁନ ଖଡ଼ଗେ ଅଧ୍ୟକ୍ଷ ହେବା ପରେ ମୁଁ ବେଶ୍ ଆରାମ ଅନୁଭବ କରୁଛି ବୋଲି ସୋନିଆ କହିଛନ୍ତି। ଏଥିସହ ସହଯୋଗ ଓ ସମର୍ଥନ ପାଇଁ ସେ କଂଗ୍ରେସ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ତେବେ ଆଜି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ନିର୍ଦ୍ଧାରିତ ସମୟରେ ଖଡଗେ ଏଆଇସିସି ମୁଖ୍ୟାଳୟରେ ପହଞ୍ଚିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
୮୦ ବର୍ଷୀୟ ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ଦଳରେ ରହି ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି। ରାଜନୀତିରେ ତାଙ୍କର ବିଚାରଶୀଳ ଚିନ୍ତାଧାରା ଯୋଗୁ ସେ ଏପର୍ଯ୍ୟନ୍ତ କୌଣସି ବିବାଦରେ ଫସି ନାହାନ୍ତି। ତାଙ୍କ ଚେହେରା ସ୍ୱଚ୍ଛ ରହିଛି। ଖଡ଼ଗେ ଦଳିତ ଚେହେରା ଭାବରେ କଂଗ୍ରେସ ଅଧ୍ୟକ୍ଷ ହେବା ୨୦୨୩ କର୍ଣ୍ଣାଟକ ନିର୍ବାଚନରେ ଦଳ ପାଇଁ ଫାଇଦା ହେଇପାରେ। ଏବେ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଦଳର ପୁନର୍ଗଠନ ଓ ୨୦୨୪ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ଖଡ଼ଗେଙ୍କର ମୁଖ୍ୟ ଲକ୍ଷ୍ୟ ରହିବ।
Powered by Froala Editor