ନକଲି କଷ୍ଟମର କେୟାର ନଂ ଗୁଡିକରେ ଲାଗିବ ଲଗାମ
ଆପଣ ଗୁଗଲ ସର୍ଚ୍ଚ କରି କାହାର କଷ୍ଟମର କେୟାରରେ ଫୋନ କରନ୍ତୁ ନାହିଁ। କେବଳ ସେହି ସଂସ୍ଥାଙ୍କ ନମ୍ବରରେ କଲ କରନ୍ତୁ ଯାହାଙ୍କ ୱେବସାଇଟ୍ ଓ ଆପରେ ସେମାନଙ୍କ ନମ୍ବର ରହିଛି। କାରଣ ନକଲି କଷ୍ଟମର କେୟାର ନମ୍ବରରେ ଠକି ଯାଇପାରନ୍ତି । ଏଥିପାଇଁ ନକଲି କଷ୍ଟମର କେୟାର ନମ୍ବର ଉପରେ ଏବେ ଲଗାମ ଲଗାଇବାକୁ ପ୍ରସ୍ତୁତି କରୁଛନ୍ତି ସରକାର । କେନ୍ଦ୍ର ସରକାର ସବୁ କମ୍ପାନୀ ଓ ଆପସ୍ଙ୍କୁ ନିଜର ବାସ୍ତବିକ କଷ୍ଟମର କେୟାର ନମ୍ବରକୁ ପ୍ଲାଟଫର୍ମରେ ରଖିବାକୁ କହିଛନ୍ତି। ଏହା ବାଦେ ସବୁ ନମ୍ବର ପ୍ଲାଟଫର୍ମରୁ ହଟାଇବାକୁ କହିଛନ୍ତି।
କେନ୍ଦ୍ର ସରକାରଙ୍କ ଏହି ଉଦ୍ୟମ ଯୋଗୁ ସଠିକ କଷ୍ଟମର କେୟାର ନମ୍ବର ଏବେ ଚିହ୍ନି ହୋଇଯିବ। ଏଥିଲାଗି କେନ୍ଦ୍ର ସରକାର ସବୁ ଆପ୍ ଓ ଇଣ୍ଡଷ୍ଟ୍ରିଙ୍କ ସହ ଆଲୋଚନା କରିବେ। ଆଗାମୀ ଟେଲିକମ ବିଲ୍ ରେ ମଧ୍ୟ ଏଥିଲାଗି ପ୍ରୋଭିଜନ ରହିବ।
ଅନେକ କ୍ଷେତ୍ରରେ କଷ୍ଟମର ସେମାନଙ୍କ ଅଭିଯୋଗ ଲାଗି କଷ୍ଟମର କେୟାରକୁ ଫୋନ କରନ୍ତି ହେଲେ ନକଲି ନମ୍ବର ସେମାନଙ୍କୁ ଚୁନ ଲଗେଇଥାନ୍ତି। ଏହା କେବଳ ନକଲି ନମ୍ବର ଯୋଗୁ ହେଉଛି। ଏପରି ନକଲି ନମ୍ବର ସବୁ ଗୁଗଲରେ ମହଜୁଦ ରହୁଛି, ଯେଉଁଗୁଡିକ ନିଜକୁ କୌଣସି ବ୍ୟାଙ୍କ, କମ୍ପାନୀ ଅଥବା ମୋବାଇଲ କମ୍ପାନୀର କଷ୍ଟମର କେୟାର ବୋଲି ଦାବି କରୁଛନ୍ତି। ତେଣୁ ସରକାର ଏଥିପାଇଁ କଡା ପ୍ରୋଟୋକୋଲ ତିଆରି କରୁଛନ୍ତି ।
Powered by Froala Editor