ପବିତ୍ର ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୁଳ
ପୁରୀରେ ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୁଳ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ବିଶ୍ୱକର୍ମାଙ୍କୁ ପ୍ରଦାନ ପରେ ରଥ କାର୍ଯ୍ୟ ଅନୁକୂଳ ଆରମ୍ଭ ହୋଇଛି। କୋଭିଡ୍ କଟକଣା ଭିତରେ ବିଶ୍ୱକର୍ମା ମହାରଣାଙ୍କ ଉପସ୍ଥିତିରେ ନୂତନ ରଥ କାଠ ପୂଜା କରାଯାଇଥିଲା।
ଆଜ୍ଞାମାଳ ପାଇବା ପରେ ବିନା ଭକ୍ତରେ ମଣିବିମାନ ଓ ପାଲିଙ୍କିରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ବିଜେ କରିଥିଲେ। ଏହା ପୂର୍ବରୁ ରଥନିର୍ମାଣ ନିମନ୍ତେ ଦୁଇଜଣ ଦେଉଳ ପୁରୋହିତ ଓ ୧୧ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ବନଯାଗ ପଦ୍ଧତିରେ ହୋମ କରାଯାଇଥିଲା। ବ୍ୟାରିକେଡ ମଧ୍ୟରେ ୩ ଖଣ୍ଡ ଧଉରା କାଠ ରଖାଯାଇଥିଲା। ପୂଜା ପଣ୍ଡା ଆଜ୍ଞାମାଳ ବିଶ୍ୱକର୍ମା ମହାରଣାଙ୍କୁ ପ୍ରଦାନ କରିବା ପରେ ଜଳ ସିଞ୍ଚନ କରାଯାଇ ସୁବର୍ଣ୍ଣ କୁରାଢ଼ୀ ଦ୍ୱାରା ରଥ ଅନୁକୂଳ ହୋଇଥିଲା।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଛତିଶା ନିଯୋଗ ମହାନାୟକଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ରଥନିର୍ମାଣରେ ସଂପୃକ୍ତ ସେବାୟତଙ୍କ ଶାଢ଼ୀ ବନ୍ଧା ଯାଇଥିଲା। ଭୋଇ ସେବକ ମାନେ ମହାପ୍ରସାଦ ଓ ନଡ଼ିଆ ଥୋଇ ଶାବଳ ପୂଜା କରିଥିଲେ। ରଥନିର୍ମାଣ ଅନୁକୂଳ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିଥିଲେ।
Powered by Froala Editor