ଲେନ୍ସ କାଢ଼ିବାକୁ ଭୁଲି ଯାଉଥିଲେ ବୃଦ୍ଧା, ଏକଥରକେ ଆଖିରୁ ବାହାରିଲା ୨୩ଟି ଲେନ୍ସ

ନୂଆଦିଲ୍ଲୀ: ବୃଦ୍ଧାଙ୍କ ଆଖିରୁ ଏକାଥରକେ ବାହାରିଲା ୨୩ଟି ଲେନ୍ସ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି? ଭାବୁଛନ୍ତି କି ଏହା ବାସ୍ତବରେ ହୋଇନପାରେ । ମାତ୍ର ଘଟଣାଟି ସତ୍ୟ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଆମେରିକାର କାଲିଫର୍ଣ୍ଣିଆରୁ ।
ନ୍ୟୁ ପୋର୍ଟ ବିଚ୍ସ୍ଥିତ ଚକ୍ଷୁ ବିଶେଷଜ୍ଞ କାର୍ଟେରିନା କୁର୍ତିଭା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହାର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯାହାକି ଏବେ ସମସ୍ତଙ୍କୁ ଚକ୍କିତ କରିଛି । ଡାକ୍ତର କାର୍ଟେରିନାଙ୍କ କହିବା ଅନୁଯାୟୀ, ବୃଦ୍ଧା ଜଣଙ୍କ ଆଖିରେ କଷ୍ଟ ଅନୁଭବ କରିଥିଲେ । ଏହାପରେ ଚିକିତ୍ସା ଲାଗି ତାଙ୍କ ନିକଟକୁ ଆସିଥିଲେ । ପରୀକ୍ଷା ନିରୀକ୍ଷା ପରେ ବୃଦ୍ଧାଙ୍କ ଆଖି ଭିତରେ କିଛି ଅନାବଶ୍ୟକ ଜିନିଷ ଥିବା ଜଣାପଡ଼ିଥିଲା । ଏହାକୁ ଅସ୍ତ୍ରୋପଚାର କରି ବାହାର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ବୃଦ୍ଧା ରାଜି ହେବା ପରେ ନିର୍ଦ୍ଧିଷ୍ଟ ତାରିଖରେ ଅସ୍ତ୍ରୋପଚାର କରାଯାଇଥିଲା । ତେବେ ଏହି ସମୟରେ ସେ ଯାହା ଦେଖିଲେ ତାହାକୁ ସେ ନିଜେ ମଧ୍ୟ ବିଶ୍ୱାସ କରିପାରିଲେନି । ମହିଳାଙ୍କ ଆଖିରୁ ୨୩ଟି ଲେନ୍ସ ବାହାରି ଥିଲା । ଏହାପରେ ସେ ଏବେ ଯନ୍ତ୍ରଣାରୁ ଆରାମ ପାଇଛନ୍ତି । ଆଉ କୌଣସି ସମସ୍ୟା ବି ହେଉନି ।
ମହିଳା ଜଣଙ୍କ ଆଖିରେ ଲଗାଉଥିବା କୃତ୍ରିମ ଲେନ୍ସକୁ ପ୍ରତିଦିନ ସନ୍ଧ୍ୟାରେ କାଢ଼ି ପରଦିନ ସକାଳେ ନୂଆ ଲେନ୍ସ ଲଗାଇବା କଥା । ମାତ୍ର ବୟସାଧିକ୍ୟ ହେତୁ ସେ ତାହା ଏକାଧିକ ଥର ଭୁଲି ଯାଇଥିଲେ । ଫଳରେ ଅତି ପତଳା ଲେନ୍ସଗୁଡ଼ିକ ମହିଳାଙ୍କ ଆଖିରେ ସେମିତି ଥାକ ଥାକ ହୋଇ ରହିଥିଲା ।
Powered by Froala Editor