ନେତାଙ୍କ କାର ଉପରକୁ ଦୁର୍ବୁତ୍ତଙ୍କ ବୋମାମାଡ଼
କାମାକ୍ଷାନଗର: ନେତାଙ୍କ କାର ଉପରକୁ ହେଲା ବୋମାମାଡ଼ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢିସାହି ଅଞ୍ଚଳରେ । ଏହି ଅଞ୍ଚଳରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର୍ ଉପରକୁ ହୋଇଛି ବୋମାମାଡ଼ । ଗତ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ବୋମାମାଡ଼ କରିଛନ୍ତି ।
ଘଟଣା ଅନୁସାରେ, ପ୍ରଥମେ ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଗୋଟିଏ ରାଉଣ୍ଡ ବୁଲି ସାରିବା ପରେ ଗାଡି ଉପରକୁ ୩ଟି ବୋମା ମାଡ଼ କରିଥିଲେ । ଏବେବି ଦୁଇଟି ବୋମା ଅଫୁଟା ପଡିଥିବା ଦେଖିବାକୁ ମିଳିଛି । ସମ୍ପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଗତ ରାତିରେ ବୋମା ମାଡ଼ ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଶବ୍ଦ ଶୁଣି ଘର ବାହାରକୁ ଆସିଥିଲେ । ଏପରିକି ନାଇଟ ପାଟ୍ରୋଲିଂରେ ଥିବା ପୁଲିସ ମଧ୍ୟ କାହ୍ନୁ ଚରଣ ସାହୁଙ୍କ ଘର ପାଖକୁ ଆସିଥିଲେ । ତେବେ କାହ୍ନୁଙ୍କର କୌଣସି ରାଜନୈତିକ କିମ୍ବା ବ୍ୟବସାୟିକ ଶତ୍ରୁ ନ ଥିବା ସେ ପ୍ରକାଶ କରିଛନ୍ତି । ଏ ନେଇ କାମାକ୍ଷାନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ଏନେଇ କାହ୍ନୁଚରଣ କହିଛନ୍ତି, ଗତକାଲି ରାତି ପ୍ରାୟ ଗୋଟାଏ ପରେ ପୁଲିସ୍ ଘର ସାମନାରେ ପହଞ୍ଚି ବାହାରକୁ ଆସିବାକୁ କହିଲା । ବାହାରକୁ ଯିବାରୁ କାରକୁ ୩ରୁ ୪ଟି ବୋମାମାଡ ହୋଇଛି । ୨ଟି ଅଫୁଟା ବୋମା ପଡିଛି । ୨ ଜଣ ହେଲମେଟ ପିନ୍ଧି ନମ୍ବର ପ୍ଲେଟ ନ ଥିବା ବାଇକରେ ଆସିଥିଲେ । ସେମାନେ ଘର ଚାରିପଟେ ୩,୪ ଥର ବୁଲିବା ସହ ବୋମା ମାଡ କରିଥିଲେ ।
Powered by Froala Editor