ଡିସିଡବ୍ଲୁ ଅଧ୍ୟକ୍ଷାଙ୍କ ଘରେ ପଶି ଭଙ୍ଗାରୁଜା
ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ ତଥା ଡିସିଡବ୍ଳୁ ସ୍ୱାତୀ ମାଲିୱାଲଙ୍କ ଘରେ ପଶି କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିଛନ୍ତି । ସ୍ୱାତୀ ଓ ତାଙ୍କ ମା’ଙ୍କ କାର୍ ଚରୁମାର୍ କରି ଦେଇଛନ୍ତି । ଏନେଇ ସେ ନିକଟସ୍ଥ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଅସାମାଜିକ ଯୁବକ ଏହି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପୁଲିସ୍ ଘରେ ଓ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି । ଖୁବ୍ଖୀଘ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଦୃଷ୍ଟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ସେପଟେ ସ୍ୱାତୀ ମାଲିୱାଲ୍ ଏହି ଘଟଣାକୁ ନେଇ ଏକ ଟୁଇଟ୍ କରିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି, ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ସେ ଘରେ ଅନୁପସ୍ଥିତ ଥିଲେ । ତାଙ୍କ ମା’ ବି ଘରେ ନଥିଲେ । ଫଳରେ ଏକ ନିଶ୍ଚିତ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ନଚେତ୍ କ’ଣ ଯେ ହୋଇଥାନ୍ତା ତାହା ସେ ଜାଣିନାହାନ୍ତି ବୋଲି ଲେଖିଛନ୍ତି । ଏଥିସହିତ ସ୍ୱାତୀ ଉଲ୍ଲେଖ କରିଛନ୍ତି, ଯେତେ ଯାହା କଲେ ବି ସେ ଭୟଭୀତ ହେବେନି । ଯେଉଁ ପ୍ରକାର ପରିସ୍ଥିତି ଆସିବ ସବୁ କିଛି ସାମ୍ନା କରିବାକୁ ସେ ପ୍ରସ୍ତୁତ । ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ସ୍ୱାତୀଙ୍କୁ ବଳାତ୍କାର ଧମକ ମିଳିଥିଲା । ଏନେଇ ସେ ପୁଲିସ୍ରେ ଅଭିଯୋଗ କରିଥିଲେ ।
Powered by Froala Editor