ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟରେ ଭାରତ ନଂ୧୦୭ , ସରକାର କହିଲେ ଭୁଲ ହିସାବ

ଚଳିତ ବର୍ଷ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୦୭ ନଂରେ ରହିଛି। ମୋଟ ୧୨୧ ଦେଶକୁ ନେଇ ତାଲିକା ପ୍ରକାଶ କରାଯାଇଥିବା ବେଳେ ଭାରତର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ୨୦୨୧ ବର୍ଷ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୦୧ ନଂ ସ୍ଥାନରେ ଥିଲା। ଏଥିରେ ୧୧୬ ଦେଶକୁ ନେଇ ତାଲିକା ପ୍ରକାଶ କରାଯାଇଥିଲା। ଏବେ ଦେଶ ସଂଖ୍ୟା ୧୨୧କୁ ବଢ଼ିଥିବା ବେଳେ ଭାରତ ୬ଟି ସ୍ଥାନ ତଳକୁ ଖସି ଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତ ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ଠାରୁ ମଧ୍ୟ ତଳେ ରହିଛି। କ୍ଷୁଧା ଓ ଅପପୁଷ୍ଟି ସ୍ଥିତିର ଯାଞ୍ଚ କରି ବିଶ୍ୱ କ୍ଷୁଧା ସୂଚକାଙ୍କ ପ୍ରସ୍ତୁତ କରାଯାଇଥାଏ। ଚାଇନା, ତୁର୍କୀ ଓ କ୍ୟୁଏତ ଭଳି ୧୭ଟି ଦେଶର ବିଶ୍ୱ କ୍ଷୁଧା ସୂଚକାଙ୍କର ଶୀର୍ଷ ସ୍ଥାନରେ ରହିଛନ୍ତି।
ଶନିବାର ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ କଂଗ୍ରେସ ସାଂସଦ ପି ଚିଦାମ୍ବରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମୋଦି ନେତୃତ୍ୱାଧୀନ କେନ୍ଦ୍ର ସରକାର କ୍ଷମତାକୁ ଆସିବା ପରେ ଅର୍ଥାତ ୨୦୧୪ ପରଠାରୁ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ସ୍କୋର ହ୍ରାସ ପାଇବାରେ ଲାଗିଛି।
ଅନ୍ୟପଟେ ବିଶ୍ୱ କ୍ଷୁଧା ସୂଚକାଙ୍କ-୨୦୨୨ରେ ପ୍ରକାଶିତ ରିପୋର୍ଟକୁ ଭାରତ ସରକାର ଖଣ୍ଡନ କରିଛନ୍ତି। ସରକାର କହିଛନ୍ତି ଯେ ବିଶ୍ୱ କ୍ଷୁଧା ସୂଚକାଙ୍କ ଏକ ଭୁଲ ହିସାବ ଏବଂ ଏହାର ଅନେକ ଗମ୍ଭୀର ପଦ୍ଧତିଗତ ସମସ୍ୟା ରହିଛି। ଏହି ରିପୋର୍ଟ ତୃଣମୂଳସ୍ତରର ବାସ୍ତବତାଠାରୁ ଭିନ୍ନ ହେବା ସହିତ ସରକାରଙ୍କ ପକ୍ଷରୁ ଜାରି ରହିଥିବା ଉଦ୍ୟମକୁ ଅଣଦେଖା କରିଛି। ଶନିବାର ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୨୧ ଦେଶ ମଧ୍ୟରେ ୧୦୭ ସ୍ଥାନରେ ରହିବା ପରେ ଭାରତ ସରକାରଙ୍କ ପକ୍ଷରୁ ଏଭଳି କୁହାଯାଇଛି।
Powered by Froala Editor