ସୀମାକୁ ପାକିସ୍ତାନ ଛାଡ଼ିଥିଲା ଡ୍ରୋନ୍, ଗୁଳିକରି ଖସାଇଲେ ବିଏସ୍ଏଫ୍ ଯବାନ

ଅମୃତସର: ଅମୃତସରସ୍ଥିତ ଭାରତ-ପାକିସ୍ତାନ ସୀମା ନିକଟରେ ଉଡ଼ୁଥିବା ଏକ ଡ୍ରୋନ୍କୁ ବିଏସ୍ଏଫ୍ ଯବାନମାନେ ଗୁଳି କରି ଖସାଇ ଦେଇଛନ୍ତି । ଏହି ଡ୍ରୋନ୍ଟି ପାକିସ୍ତାନ ରେଞ୍ଜର୍ସ ବର୍ଡର ପୋଷ୍ଟର ଦେଓରି ଫରାର୍ଡରୁ ଭାରତକୁ ପଠା ଯାଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ବିଏସ୍ଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ୍କୁ ଜୋରଦାର୍ କରାଯାଇଛି ।
ଶୁକ୍ରବାର ଭୋରୁ ସୀମାରେ ଏକ ଡ୍ରୋନ୍ ଛକ୍କର କାଟିଥିଲା । ହଠାତ୍ ଜଣେ ବିଏସ୍ଏଫ୍ ଯବାନଙ୍କ ଏହା ଉପରେ ନଜର ପଡ଼ିଥିଲା । ସେ ତୁରନ୍ତ ଗୁଳିକରି ଏହାକୁ ଖସାଇ ଦେଇଥିଲେ । ଏହାପରେ ତୁରନ୍ତ ବରିଷ୍ଠ ଅଧିକାରୀମାନେ ଯାଞ୍ଚ କରିବା ସହିତ ଏହା ପାକିସ୍ତାନ ପଟୁ ଆସିଥିବା ସ୍ପଷ୍ଟ କରିଥିଲେ । ଏହି ଘଟଣା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହେଲେ ଏଯାଏ ସୀମାରେ କୌଣସି ସନ୍ଦିଗ୍ଧ ଗତିବିଧି କିମ୍ବା ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ସମ୍ପର୍କରେ ତଥ୍ୟ ମିଳିନାହିଁ ।
ପାକିସ୍ତାନ ବାରମ୍ବାର ଏଭଳି ଆଚରଣ କରୁଛି । ଅନେକ ଥର ଡ୍ରୋନ୍ ଜରିଆରେ ସୀମା ଉପରେ ନଜର ରଖୁଛି । ଏହାଦ୍ୱାରା ତଥ୍ୟ ନେବାକୁ ଉଦ୍ୟମ କରୁଛି । କେବଳ ସେତିକି ନୁହେଁ, ଡ୍ରୋନ୍ ଜରିଆରେ ପାକିସ୍ତାନ ନିଶା କାରବାର କରୁଥିବା ଅଭିଯୋଗ ହୋଇଛି । ହେଲେ ଭାରତୀୟ ଯବାନମାନେ ବାରମ୍ବାର ପାକିସ୍ତାନର ଏଭଳି ଉଦ୍ୟମକୁ ପଣ୍ଡ କରି ଚାଲିଛନ୍ତି ।
Powered by Froala Editor