ଦିଲ୍ଲୀରେ ବାଣ ଉପରୁ ଉଠିବନି ପ୍ରତିବନ୍ଧକ : ସୁପ୍ରିମକୋର୍ଟ

ରାଜଧାନୀ ଦିଲ୍ଲୀରେ ଫୁଟିବନି ବାଣ। ରାଜ୍ୟ ସରକାର ବାଣ ଉପରେ ଲଗାଇଥିବା କଟକଣାକୁ ହଟାଇବାକୁ ମନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବିଜେପି ନେତା ମନୋଜ ତିୱାରୀ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ସେହି ପିଟିସନରେ ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ସଂସ୍କୃତି ବିରୋଧୀ ବୋଲି କୁହାଯାଇଥିଲା ଏବଂ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ଅନୁରୋଧ କରାଯାଇଥିଲା। ଆଜି ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀରେ ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଯିବ ନାହିଁ।
ତେବେ ଦୀପାବଳି ଛୁଟି ପୂର୍ବରୁ ଏହି ମାମଲାର ଶୁଣାଣି କରାଯିବ। ଦିଲ୍ଲୀ-ଏନସିଆରକୁ ନେଇ ଆମର ଆଭିମୁଖ୍ୟ ସ୍ପଷ୍ଟ। ପ୍ରଦୂଷଣକୁ ନେଇ ସ୍ଵତନ୍ତ୍ର ଆଦେଶ ଜାରି କରାଯାଇଥିବା ସୁପ୍ରିମକୋର୍ଟ କହିଛନ୍ତି। ଏମ ଆର ଶାହାଙ୍କ ଖଣ୍ଡପୀଠ ଏହି ପିଟିସନ ଉପରେ ଶୁଣାଣି କରି କହିଛନ୍ତି ଯେ, ଦିଲ୍ଲୀ ଏନସିଆରରେ ବାଣ ଉପରେ ପ୍ରତିବନ୍ଧକକୁ ନେଇ ଆମର ନିଷ୍ପତ୍ତି ସ୍ପଷ୍ଟ। ପ୍ରଦୂଷଣର ଅବସ୍ଥା ଆପଣ କ’ଣ ଦେଖି ନାହାଁନ୍ତି କି? ବାଣ ଯୋଗୁଁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଆପଣ ନିଜେ ଏନସିଆରରେ ରୁହନ୍ତି, ତେବେ ଆପଣ ପୂର୍ବରୁ ପ୍ରଦୂଷିତ ହୋଇସାରିଥିବା ସହରର ପ୍ରଦୂଷଣକୁ ଆହୁରି ଅଧିକ ବୃଦ୍ଧି କରିବାକୁ କାହିଁକି ଚାହୁଁଛନ୍ତି? ଆମେ ଏହି ପ୍ରତିବନ୍ଧକକୁ ହଟାଇ ପାରିବୁ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
Powered by Froala Editor