ଗୁପ୍ତାଙ୍ଗ ବିକ୍ରି ଡିଲ୍ : ରିଲ୍ସ ଦେଖି କିଶୋରଙ୍କୁ ମାରିଦେଲେ
ଭୋପାଳରେ ଛୋଟା ତାଳାବ ଧୋବି ଘାଟରୁ ମିଳିଥିବା ୧୬ ବର୍ଷୀୟ କିଶୋରଙ୍କ ମୃତଦେହ ମାମଲା ୧୧ ଦିନ ମଧ୍ୟରେ ସମାଧାନ ହୋଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଏକ ରିଲରେ ଦେଖିଥିଲେ ଯେ ଶରୀରର ପ୍ରାଇଭେଟ ପାର୍ଟ ବିକ୍ରି କଲେ ୧.୨୦ କୋଟି ଟଙ୍କା ମିଳିଥାଏ। ଏହି ରିଲରୁ ପ୍ରଭାବିତ ହୋଇ ଅଭିଯୁକ୍ତମାନେ ରେହାନଙ୍କ ହତ୍ୟା କରିଥିଲେ। ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତ ୧୮ ବର୍ଷୀୟ ଆମିର କୁରେଶୀ ଏବଂ ୨୦ ବର୍ଷୀୟ ଜୋହେବ ଖାନଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ରେହାନଙ୍କୁ ଅଗଷ୍ଟ ୬ ତାରିଖରେ ହତ୍ୟା କରାଯାଇଥିଲା ଏବଂ ଅଗଷ୍ଟ ୧୦ ତାରିଖରେ ପ୍ରେମ ମନ୍ଦିର ନିକଟସ୍ଥ ଧୋବି ଘାଟରୁ ତାଙ୍କ ମୃତଦେହ ମିଳିଥିଲା। ପୋଷ୍ଟମର୍ଟମରେ ପେଟ ଓ ଗୋଡ଼ରେ ଗୁରୁତର ଆଘାତ ଯୋଗୁ ହତ୍ୟା ହୋଇଥିବା ନିଶ୍ଚିତ ହୋଇଥିଲା। ରେହାନଙ୍କ ଗୁପ୍ତାଙ୍ଗ ନଥିବା ଜଣାପଡ଼ିଥିଲା। ତାଙ୍କ ମା’ ହାତରେ ଥିବା ‘ଏସ୍କେ-ଶଙ୍କର’ ଟାଟୁ ଦେଖି ନିଜ ପୁଅଙ୍କୁ ଚିହ୍ନଟ କରିଥିଲେ।
ରେହାନ ଅଞ୍ଚଳରେ ପେନ ଏବଂ ଚାବିରିଙ୍ଗ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ଅଭିଯୁକ୍ତମାନେ କିଶୋରଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରରୁ ଗୁପ୍ତାଙ୍ଗ ବାହାର କରି ବିକ୍ରି କରିବାକୁ ଚେଷ୍ଟା କରିଥିଲେ। ତେବେ ଏହି ଡିଲ ସଫଳ ହୋଇପାରିନଥିଲା।
ନିଜକୁ ମେଡିକାଲ ଛାତ୍ର ବୋଲି ପରିଚୟ ଦେଉଥିବା ଜୋହେବଙ୍କୁ ପାକିସ୍ତାନ-ସାଉଦି ସମ୍ପର୍କିତ ଏକ ରିଲ ଦେଖାଇଥିଲେ। ଏଥିରେ ପ୍ରାଇଭେଟ ପାର୍ଟ ବିକ୍ରି କଲେ ବହୁତ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ଏହାପରେ ରେହାନଙ୍କୁ ୧୦୦ ଟଙ୍କାର ଲୋଭ ଦେଖାଇ ତାଙ୍କ ସହ ନେଇଯାଇଥିଲେ ଏବଂ ପରେ ତାଙ୍କୁ ହତ୍ୟା କରିଥିଲେ। ଅଭିଯୁକ୍ତମାନେ ରେହାନଙ୍କୁ ହତ୍ୟା କରିବା ପରେ ଗୁପ୍ତାଙ୍ଗଗୁଡ଼ିକୁ ଅଲଗା କରି ଏକ ପ୍ଲାଷ୍ଟିକ ବ୍ୟାଗରେ ରଖିଥିଲେ। ଜୋହେବ ସେଗୁଡ଼ିକୁ ବିକ୍ରି କରିବାରେ ସଫଳ ହୋଇପାରିନଥିଲା। ପରେ ସେଗୁଡ଼ିକ ଅଭିଯୁକ୍ତମାନଙ୍କୁ ଫେରାଇ ଦିଆଯାଇଥିଲା।
Powered by Froala Editor