ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ କାଶ୍ମୀର ଅନନ୍ତନାଗ ତାଙ୍ଗପାୱା ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବାହିନୀ । ଏଥିରେ ୨ଜଣ ଆତଙ୍କୀ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗତକାଲି ଦକ୍ଷିଣ କାଶ୍ମୀରର ସୋପିଆନ୍ ଜିଲ୍ଲାର ତେରିଜ୍ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହାକୁ କିଛି ଘଣ୍ଟା ନ ପୁରୁଣୁ ପୁଣି ଅନନ୍ତନାଗରେ ଏନକାଉଣ୍ଟର ହୋଇଛି ।
ମିଳିଥିବା ସୂଚନାଅନୁୟାୟୀ, ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ୍ ଓ ସୁରକ୍ଷାବଳର ଯବାନଙ୍କ ମିଳିତ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରି ଆତ୍ମଗୋପନ କରିଥିବା ଆତଙ୍କୀଙ୍କୁ ଧରିବା ପାଇଁ ଅପରେସନ ଆରମ୍ଭ କରିଥିଲା ସୁରକ୍ଷା ବଳର ଯବାନ । ଏଥିରେ ୨ଜଣ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବଳ । ଅପରେସନରେ ସେନା, ସିଆରପିଏଫ ଓ ପୋଲିସ ସାମିଲ ଥିବା ସୂଚନା ମିଳିଛି । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି ।
ଗତ କିଛି ଦିନ ମଧ୍ୟରେ ଘାଟିରେ ଆତଙ୍କୀ କାର୍ୟ୍ୟକଳାପ କ୍ରମାଗତ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘‘ଆଣ୍ଟି ଟେରର ଅପରେସନ’’କୁ ଜୋରଦାର କରିଛି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି ।
Powered by Froala Editor