ନୀତୀଶଙ୍କ କ୍ୟାବିନେଟରୁ ଇସ୍ତଫା ଦେଲେ କୃଷି ମନ୍ତ୍ରୀ ସୁଧାକର ସିଂ
ବିହାର କୃଷି ମନ୍ତ୍ରୀ ସୁଧାକର ସିଂ ଆଜି ଇସ୍ତଫା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ସେ ଇସ୍ତଫା ପତ୍ର ପଠାଇଛନ୍ତି । କେମୁର ଜିଲ୍ଲା ରାମଗଡ଼ ବିଧାନସଭା ଆସନରୁ ବିଧାୟକ ଅଛନ୍ତି ସୁଧାକର ସିଂ । ବିହାର ଆରଜେଡି ସଭାପତି ସୁଧାକରଙ୍କ ବାପା ଜଗଦାନନ୍ଦ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ।
ଜଗଦାନନ୍ଦ କହିଛନ୍ତି ଯେ, ମୋ ପୁଅ ଚାଷୀମାନଙ୍କ ଅଧିକାର ଲାଗି ଲଢ଼େଇ କରିବାକୁ ଚାହୁଁଥିଲେ। ହେଲେ ତାଙ୍କୁ ବହୁ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଥିଲା। ତେଣୁ ସେ ଏହି ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଚାଷୀଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ସେମାନଙ୍କ ସ୍ୱାର୍ଥ ଲାଗି କେହି ଜଣେ ଛିଡ଼ା ହେବା ଉଚିତ ବୋଲି ଜଗଦାନନ୍ଦ କହିଛନ୍ତି। ଏଥିପାଇଁ କୃଷିମନ୍ତ୍ରୀ ଏହି ଦାୟିତ୍ୱ ନେବାକୁ ଉଚିତ ମଣିଥିଲେ। କିନ୍ତୁ ରାଜ୍ୟରେ ମଣ୍ଡି ପାଇଁ ଥିବା ଆଇନ କୃଷକମାନଙ୍କୁ ତଳିତଳାନ୍ତ କରିସାରିଲାଣି। କୃଷକମାନଙ୍କର ଉତ୍ପାଦ ବିକ୍ରୟ ପାଇଁ ମଣ୍ଡି ନାହିଁ । ଏହି କାରଣରୁ କୃଷି ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ।
କୃଷି ବିଭାଗରେ ହେଉଥିବା ଦୁର୍ନୀତି ସମ୍ପର୍କରେ କହି ଚର୍ଚ୍ଚାରେ ଥିଲେ ସୁଧାକର । ଜନସଭାକୁ ସମ୍ବୋଧିତ କରି ସେ କୃଷି ବିଭାଗରେ ଅନେକ ଚୋର ଥିବା ବେଳେ ସେ ନିଜେ ଚୋରଙ୍କ ସର୍ଦ୍ଦାର ବୋଲି କହିଥିଲେ । ଏହାକୁ ନେଇ ନୀତୀଶ କୁମାରଙ୍କ ସହ ସୁଧାକରଙ୍କ ଯୁକ୍ତିତର୍କ ହୋଇଥିବା କୁହାଯାଉଥିଲା ।
ଏହାଛଡ଼ା ୨୦୧୩ ଚାଉଳ ଦୁର୍ନୀତିରେ ସୁଧାକର ଅଭିଯୁକ୍ତ ଥିବା ବେଳେ ତାଙ୍କ ନାଁରେ ଏତଲା ମଧ୍ୟ ଦିଆଯାଇଥିଲା । ଏହାକୁ ନେଇ ବିରୋଧୀ ଲଗାତାର ତାଙ୍କୁ ଟାର୍ଗେଟ କରୁଥିଲେ । ତେବେ ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ପୁଅ ଇସ୍ତଫା ଦେଇଛି ଜଗଦାନନ୍ଦ ସିଂ କହିଛନ୍ତି ।
Powered by Froala Editor