ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ପାହାଡ଼ରୁ ବସ୍ ଖସି ୭ ମୃତ
ଶିମଲା: ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ତୀର୍ଥଯାତ୍ରୀ ବସ୍ ପାହାଡ଼ରୁ ଖସି ପଡ଼ିବା ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରବିବାର ରାତି ପ୍ରାୟ ୮ଟା ୩୦ ସମୟରେ ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲା ବଞ୍ଜାର ଘାଟିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କୁଲୁ ଜିଲ୍ଲା ବଞ୍ଜାର ଘାଟି NH 305ରେ ଏକ ତୀର୍ଥଯାତ୍ରୀ ବସ୍ ଭାରସାମ୍ୟ ହରାଇ ପାହାଡ଼ରୁ ଖସି ପଡ଼ିଥିଲା । ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ ଗାଡ଼ିରେ ଡ୍ରାଇଭର ସମେତ ୧୭ ଜଣ ଯାତ୍ରୀ ଥିଲେ । ସେଥିରୁ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୫ ଜଣ ଆହତଙ୍କୁ କୁଲୁ ସ୍ଥିତ ଏକ ଡାକ୍ତରଖାନାକୁ ପଠାଯାଇଥିବାବେଳେ ଅନ୍ୟ ୫ ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
Powered by Froala Editor