ବିଷ୍ଣୁ ସେଠୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିଶ୍ୱଭୂଷଣ ହରିଚନ୍ଦନ
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ବିଷ୍ଣୁ ସେଠୀଙ୍କ ବିୟୋଗରେ ଶୋକ ପ୍ରକାଶ କିରଛନ୍ତି । ଟ୍ବିଟ କରି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଲେଖିଛନ୍ତି, ''ଧାମନଗର ବିଧାୟକ ତଥା ବିଧାନସଭାର ଉପନେତା ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ । ବିରୋଧି ଦଳ ଉପନେତା ଭାବରେ ବିଧାନସଭାରେ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ସମାଲୋଚନା କରିବାରେ ତାଙ୍କର ବଳିଷ୍ଠ ଭୂମିକା ଥିଲା ।''
ଭଦ୍ରକ ଜିଲ୍ଲା ଧାମନଗରର ବିଜେପି ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କର ଆଜି ସକାଳୁ ପରଲୋକ ହୋଇଛି। ମାତ୍ର ୬୧ ବର୍ଷ ବୟରେ ଆଖି ବୁଜିଛନ୍ତି ଏହି ଟାଣୁଆ ନେତା। ବିଷ୍ଣୁ ସେଠୀ ପ୍ରାୟ ବର୍ଷେ ହେବ କିଡନୀଜନିତ ବେମାରରେ ପୀଡ଼ିତ ଥିଲେ। ହେଲେ ମାସେ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ଫଳରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଫୁସଫୁସ ସଂକ୍ରମଣ ହୋଇଥିବା ଜଣାପଡ଼ିଥିବା ବେଳେ ବ୍ରେନ ଷ୍ଟ୍ରୋକ ହୋଇଥିଲା। ଫଳରେ ଅବସ୍ଥା ଗୁରୁତର ହେବାରୁ ପ୍ରାୟ ମାସେ ହେଲା ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ମାତ୍ର ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ଆଜି ସକାଳେ ତାଙ୍କର ହୃଦଘାତ ହୋଇଥିଲା। ଏହାପରେ ପ୍ରାୟ ୭ଟା ୪୫ ମିନିଟ୍ରେ ଆଖି ବୁଜିଛନ୍ତି ବିଜେପିର ଏହି ପୁରୁଖା ନେତା। ଏନେଇ ଏମ୍ସର ଆଡିସନାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି।
ବିଷ୍ଣୁ ସେଠୀ ବିଜେପି ବିଧାୟକ ଭାବେ ପ୍ରଥମେ ଚାନ୍ଦବାଲି ଓ ପରେ ଧାମନଗରରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ। ରାଜ୍ୟ ରାଜନୀତିରେ ସେ ବିଜେଡି ସରକାରଙ୍କର ଜଣେ କଡା ସମାଲୋଚକ ଭାବେ ପରିଚିତ ଥିଲେ। ଜଣେ ରାଜନେତା ବାଦ ସେ ଜଣେ ଲେଖକ ଓ ସାହିତ୍ୟିକ ଭାବେ ମଧ୍ୟ ବେଶ୍ ପରିଚିତ ଥିଲେ।
ବିଷ୍ଣୁ ସେଠୀ ଏବେ ବିଧାୟକ ଥିବାରୁ ତାଙ୍କ ମରଶରୀରକୁ ପ୍ରଥମେ ବିଧାନସଭା ନିଆଯିବ। ସେଠାରେ ମାନ୍ୟଗଣ୍ୟ ବ୍ୟକ୍ତ ବିଷ୍ଣୁ ସେଠୀଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାପରେ ସେଠାରୁ ତାଙ୍କ ମରଶରୀରକୁ ବିଜେପି ପାର୍ଟି କାର୍ୟ୍ୟାଳୟକୁ ନିଆଯିବ। ସେଠାରେ ପାର୍ଟିର ବରିଷ୍ଠ ନେତା ସେମାନଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।
Powered by Froala Editor