ବିଷ୍ଣୁ ସେଠୀଙ୍କ ବିୟୋଗରେ ରାଜ୍ୟପାଳଙ୍କ ଶୋକ
ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଧାମନଗରର ବିଜେପି ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କର ଆଜି ସକାଳୁ ପରଲୋକ ହୋଇଛି। ମାତ୍ର ୬୧ ବର୍ଷ ବୟରେ ଆଖି ବୁଜିଛନ୍ତି ଏହି ଟାଣୁଆ ନେତା।
ବିଷ୍ଣୁ ସେଠୀ ପ୍ରାୟ ବର୍ଷେ ହେବ କିଡନୀଜନିତ ବେମାରରେ ପୀଡ଼ିତ ଥିଲେ। ହେଲେ ମାସେ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ଫଳରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଫୁସଫୁସ ସଂକ୍ରମଣ ହୋଇଥିବା ଜଣାପଡ଼ିଥିବା ବେଳେ ବ୍ରେନ ଷ୍ଟ୍ରୋକ ହୋଇଥିଲା। ଫଳରେ ଅବସ୍ଥା ଗୁରୁତର ହେବାରୁ ପ୍ରାୟ ମାସେ ହେଲା ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ମାତ୍ର ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ଆଜି ସକାଳେ ତାଙ୍କର ହୃଦଘାତ ହୋଇଥିଲା। ଏହାପରେ ପ୍ରାୟ ୭ଟା ୪୫ ମିନିଟ୍ରେ ଆଖି ବୁଜିଛନ୍ତି ବିଜେପିର ଏହି ପୁରୁଖା ନେତା।
ବିଷ୍ଣୁ ସେଠୀଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଗଭୀର ଶୋକ ପ୍ରକଟ କରିଛନ୍ତି। ବିଷ୍ଣୁ ସେଠୀ ଜଣେ ଦକ୍ଷ ବିଧାୟକ ଓ ଲୋକପ୍ରିୟ ରାଜନେତା ଥିଲେ ବୋଲି ଟ୍ୱିଟ କରିଛନ୍ତି ରାଜ୍ୟପାଳ। ବିଷ୍ଣୁ ସେଠୀଙ୍କ ବିୟୋଗରେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଗଭୀର ଶୋକ ପ୍ରକଟ କରିଛନ୍ତି।
Powered by Froala Editor