ଅଧିକ ଟିକାକୁ ଭାରତ ବାୟୋଟେକର ନା, ଦିଲ୍ଲୀ ନିରାଶ
ନୂଆଦିଲ୍ଲୀ : ଓଡ଼ିଶା ଓ ଉତ୍ତର ପ୍ରଦେଶର ମାର୍ଗଦର୍ଶନ ପରେ ଦିଲ୍ଲୀ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ସରକାର ବିଦେଶରୁ ଟିକା କିଣିବା ପ୍ରୟାସ ଆରମ୍ଭ କରିଛନ୍ତି । ଏହି ରାଜ୍ୟ ସରକାରମାନେ ଟିକା କ୍ରୟ ପାଇଁ ବୈଶ୍ୱିକ କ୍ରୟ ପ୍ରକ୍ରିୟା ଆହ୍ୱାନ କରିଛନ୍ତି । ମହାରାଷ୍ଟ୍ର ସରକାର ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି । ଟିକା ଅଭାବ ସମସ୍ୟାର ସମାଧାନ ପାଇଁ ଆହୁରି ଅନେକ ରାଜ୍ୟ ମଧ୍ୟ ଏହି ମାର୍ଗ ଅନୁସରଣ କରିବାକୁ ଯାଉଛନ୍ତି । ଅପରପକ୍ଷରେ ଅଧିକ ଟିକା ଯୋଗାଣ ନେଇ ଦିଲ୍ଲୀ ସରକାରଙ୍କ ଆବେଦନକୁ ‘କୋଭାକ୍ସିନ୍' ପ୍ରସ୍ତୁତକର୍ତ୍ତା ଭାରତ ବାୟୋଟେକ୍ ମଙ୍ଗଳବାର ପ୍ରତ୍ୟାଖ୍ୟାନ କରିଦେଇଛି । କେନ୍ଦ୍ର ସରକାରଙ୍କ ଆଦେଶମତେ ଯୋଗାଣ ହେଉଥିବାରୁ ଦିଲ୍ଲୀକୁ ଅଧିକ ଟିକା ଯୋଗାଇ ହେବ ନାହିଁ ବୋଲି ଏହା ଜବାବ ଦେଇଛି । ଉଭୟ ‘କୋଭାକ୍ସିନ୍' ଓ ‘କୋଭିସିଲଡ’ରୁ ୬୭ ଲକ୍ଷ ଲେଖାଏଁ, ସମୁଦାୟ ୧୩୪ କୋଟି ଟିକା ପାଇଁ ଦିଲ୍ଲୀ ଅନୁରୋଧ କରିଥିଲା । କିନ୍ତୁ ସରକାରୀ ଅଧିକାରୀଙ୍କ ନିଦେ୍ର୍ଧଶମତେ ଟିକା ପଠାଯାଉଥିବା କହି ଏତେ ଟିକା ଯୋଗାଇବାକୁ ଅସମର୍ଥ ବୋଲି ଭାରତ ବାୟୋଟେକ କହିଥିଲା । ଏହା ପଛରେ କେନ୍ଦ୍ର ସରକାରଙ୍କ ପ୍ରଭାବ ଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅଭିଯୋଗ କରିଛନ୍ତି । ‘ଭାରତ ବାୟୋଟେକ’ ନିଶ୍ଚୟ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ କଥା କହୁଛି ବୋଲି ସେ ଅଭିଯୋଗ କରିଛନ୍ତି ।
Powered by Froala Editor