ଏହି ଦାବି ପୂରଣ କରାନଗଲେ ୨୦ ହଜାର ଔଷଧ ଦୋକାନରେ ପଡ଼ିବ ତାଲା
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଆଉ ଏକ ଚେତାବନୀ ସାମନାକୁ ଆସିଲାଣି । ଦାବି ପୂରଣ ନହେଲେ ରାଜ୍ୟରେ ୨୦ ହଜାର ଔଷଧ ଦୋକାନରେ ତାଲା ପକାଇ ଦେବାକୁ ଚେତାବନୀ ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି । କେମିଷ୍ଟମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରାଯିବାକୁ ଦାବି କରାଯାଇଛି । ଆସନ୍ତା ୭ରୁ ୧୫ ଦିନ ମଧ୍ୟରେ ଏହି ଦାବି ପୂରଣ କରାନଗଲେ ରାଜ୍ୟର ୨୦ ହଜାର ଔଷଧ ଦୋକାନରେ ତାଲା ପକାଇ ଦେବାକୁ ଆସୋସିଏସନ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଖୋର୍ଦ୍ଧା ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ପ୍ରଗତି ମହାନ୍ତି ସରକାରଙ୍କୁ ଏଭଳି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ତୁରନ୍ତ ସରକାର କେମିଷ୍ଟମାନଙ୍କୁ କୋଭିଡ଼ ଯୋଦ୍ଧାର ମାନ୍ୟତା ଦିଅନ୍ତୁ । ଅଗ୍ରାଧିକାର ଭିତିରେ ଟିକାକରଣ କରାଯାଉ । ଗତବର୍ଷ ଆମର ପ୍ରାୟ ଶହେରୁ ଉର୍ଦ୍ଧ୍ବ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଲକଡ଼ାଉନ୍ ଓ ସଟଡ଼ାଉନ୍ ସମୟରେ ଔଷଧ ଦୋକାନୀ ମାନେ ତାଙ୍କ ସେବା ଯୋଗାଇବାରେ କୌଣସି ଅବହେଳା କରିନାହାନ୍ତି । ସଂକ୍ରମଣକୁ ଡ଼ରି କେବେ ପଛଘୁଂଚା ଦେଇନାହାଁନ୍ତି । ଗତବର୍ଷ ଠାରୁ ଆସୋସିଏସନ କୋଭିଡ଼ ଯୋଦ୍ଧାର ମାନ୍ୟତା ଦାବି କରିଥିଲେ ମଧ୍ୟ ସେମାନଙ୍କ ଦାବି ପୁରଣ ହୋଇନାହିଁ । ୭ରୁ ୧୫ ଦିନ ଭିତରେ ସରକାର ଦାବି ପୁରଣ ନକଲେ ରାଜ୍ୟରେ ପ୍ରାୟ ୨୦ହଜାର ଔଷଧ ଦୋକାନରେ ତାଲା ପଡ଼ିବ ବୋଲି ଆସୋସିଏସନ ପକ୍ଷରୁ ଚେତାବନୀ ଦିଆଯାଇଛି ।
Powered by Froala Editor