ଅପରାହ୍ନ ୩ଟାରେ ହୀରାକୁଦ ଗେଟ୍ ସଂପର୍କରେ ନିଷ୍ପତ୍ତି :ଏସଆରସି
ଭୁବନେଶ୍ୱର : ଏବେ ରାଜ୍ୟକୁ ଘାରିଛି ବନ୍ୟା ଭୟ । ମହାନଦୀର କରାଳରୂପ ଯୋଗୁଁ ଶାଖା ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଉଛି । ବିଭିନ୍ନ ନଦୀରେ ଘାଇ ହେବାଫଳରେ ଗାଁରେ ଲହଡି ମାରୁଛି ବନ୍ୟା ପାଣି । କେଉଁଠି ଘରଦ୍ୱାର ବୁଡିଗଲାଣ ତ ଆଉ କେଉଁଠି ରାସ୍ତାଘାଟ ଧୋଇଗଲାଣି । ଅନେକ ଗାଁ’ମଧ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଏହାରି ଭିତରେ ଏସଆରସି ପ୍ରଦୀପ ଜେନା ବଡ ସୂଚନା ଦେଇଛନ୍ତି । ଆଜି ଅପରାହ୍ନ ୩ଟାରେ ହୀରାକୁଦ ଗେଟ୍ ସଂପର୍କରେ ନିଷ୍ପତ୍ତି ହେବ ଓ ଆଉ କେତେ ଗେଟ୍ ଖୋଲାଯିବ, ୩ଟାରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।
ଏବେ ହାରାକୁଦରେ ୭.୮୮ଲକ୍ଷ ପାଣି ପଶୁଛି ଓ ୪.୪୫ଲକ୍ଷ ବାହାରୁଛି । ଏବେ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ଆଉ କେତେ ଗେଟ୍ ଖୋଲାଯିବ, ସେ ନେଇ ସମୀକ୍ଷା କରାଯାଉଛି ବୋଲି ଏସଆରସି କହିଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାତି ୯ଟାରୁ ୧୨ଟା ଭିତରେ ଖଇରମାଳରେ ସର୍ବାଧିକ ପାଣି ପାସ୍ କରିଛି । କାଲି ରାତିରେ ଖଇରମାଳରେ ୧୨.୦୬ଲକ୍ଷ କ୍ୟୁସେକ୍ ପାଣି ପାସ୍ କରିଛି । କାଲି ଖଇରମାଳ ପାସ୍ କରିଥିବା ପାଣି ଆଜି ସନ୍ଧ୍ୟାରେ ଏଠି ପହଞ୍ଚିବ । ଆଜି ସନ୍ଧ୍ୟାରେ ମୁଣ୍ଡଳୀଠାରେ ସର୍ବାଧିକ ପାଣି ପାସ୍ କରିବ ବୋଲି ଆକଳନ କରାଯାଇଛି । ସନ୍ଧ୍ୟାରେ ମୁଣ୍ଡଳୀରେ ସର୍ବାଧିକ ସାଢେ ୧୧ଲକ୍ଷ ପାସ୍ କରିପାରେ ।
Powered by Froala Editor